ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତ ବିକାଶ ପରିଷଦ ସେବା ଏବଂ ସଂସ୍କାର ସମ୍ପର୍କିତ ଏକ ଅଣରାଜନୈତିକ, ସାମାଜିକ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ । ୧୯୬୩ ମସିହା ଚୀନ୍ ଯୁଦ୍ଧ ପରେ ଲୋକମାନଙ୍କ ମଧ୍ୟରେ ସଂସ୍କାର, ସାମାଜିକ, ଆଧ୍ୟାତ୍ମିକ, ନୈତିକ ଓ ଜାତୀୟତାଭାବର ପରିପ୍ରକାଶ କରିବା ପାଇଁ ଗଠିତ ହୋଇଥିଲା । ଏହାର ପ୍ରମୁଖ ଉଦ୍ଧେଶ୍ୟ ଏକତା ଓ ଦେଶାତ୍ମବୋଧ ଭାବ ମନ ଭିତରେ ଜାଗ୍ରତ ଓ ଦୃଢିଭୂତ କରିବା । ପରିଷଦ ଦେଶରେ ୯ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ମାଧ୍ୟମରେ ୧୫୦୦ରୁ ଅଧିକ ଶାଖା ଅନବରତ ଭାବେ ଉପରୋକ୍ତ କାର୍ଯ୍ୟ କରିଚାଲିଛନ୍ତି । ସାରା ଓଡ଼ିଶାରେ ଏହାର ୨ଟି କ୍ଷେତ୍ରୀୟ କାର୍ଯ୍ୟାଳୟର ପରିଚାଳନାରେ ୨୬ଗୋଟି ଶାଖା କାର୍ଯ୍ୟ କରୁଅଛି ।
ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଜାନୁୟାରୀ ୨୪କୁ ‘ଜାତୀୟ ବାଳିକା ଦିବସ’ ଭାବରେ ପାଳନ କରିବାକୁ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଭାରତ ବିକାଶ ପରିଷଦ ତରଫରୁ ଜାନୁୟାରୀ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହର ବାଳିକାମାନଙ୍କ ପାଇଁ ଏବଂ ବାଳିକାମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ସୂଚୀ ଶାଖାମାନଙ୍କରେ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରେ ବାଳିକାମାନଙ୍କର ରକ୍ତହୀନତା, ଆତ୍ମନିର୍ଭରଶୀଳତା, ଆତ୍ମ ସୁରକ୍ଷା ଏବଂ ବେଟୀ ବଢାଓ ଓ ବେଟୀ ପଢାଓ ଇତ୍ୟାଦି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବା ପାଇଁ ଯୋଜନା ରହିଅଛି । ଏଥିପାଇଁ ଭୁବନେଶ୍ୱର ଭାରତ ବିକାଶ ପରିଷଦର କେନ୍ଦ୍ରୀୟ ଶାଖା ୧୦ବର୍ଷରୁ ୧୮ବର୍ଷ ବୟସ୍କା ବାଳିକାମାନଙ୍କ ମଧ୍ୟରେ ଉପରୋକ୍ତ ବିଷୟ ସମ୍ବନ୍ଧରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ସ୍ଥିର କରିଛନ୍ତି । ଓଡ଼ିଶା ସମାଚାର