Sunday , April 2 2023
Breaking News
Home / କୃଷି / ବାଦାମ ଫସଲ ରେ କାଳମୁଣ୍ଡି ପୋକ ସାଲୁବାଲୁ – କୃଷି ବିଭାଗ ଅଧିକାରୀ ଙ୍କ କ୍ଷେତ୍ର ପରିଦର୍ଶନ 

ବାଦାମ ଫସଲ ରେ କାଳମୁଣ୍ଡି ପୋକ ସାଲୁବାଲୁ – କୃଷି ବିଭାଗ ଅଧିକାରୀ ଙ୍କ କ୍ଷେତ୍ର ପରିଦର୍ଶନ 

ଗରଦପୁର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ତହସିଲ ନିକଟସ୍ଥ ପେଟୁଆ ପାଟରେ କାଳିମୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ । ୫ଶହ ଏକର ବାଦାମ ଫସଲ ସହିତ ଆଳୁ ଚାଷକୁ ମଧ୍ୟ ଚରିଗଲେଣି ଏହି  ପୋକ । ଏହି ଖବର ପ୍ରକାଶ ପାଇବା ପରେ ଗରଦପୁର କୃଷି ବିଭାଗ ତତପର ହୋଇ ଉଠିଛି । ଆଜି ଛୁଟି ଦିନ ଥିଲେ ମଧ୍ୟ ୧୦ ରୁ ଉଦ୍ଧ୍ୱର୍ କୃଷି କର୍ମଚାରୀ  , କୃଷି ଅଧିକାରୀ ଙ୍କ ସମେତ ଆତ୍ମା ଅଧ୍ୟକ୍ଷ କ୍ଷତିଗ୍ରସ୍ତ ହୋଇଥିବା ବାଦାମ ଜମିରେ ପହଂଚିଥିଲେ । କୃଷି ବିଶେଷଜ୍ଞମାନେ କାଳିମୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ସ୍ୱଚକ୍ଷୁରେ ଦେଖିବା ପରେ କାଳିମୁଣ୍ଡି ପୋକଙ୍କୁ ଆୟତ କରିବା ପାଇଁ ଚାଷୀମାନଙ୍କୁ ଔଷଧ ମଧ୍ୟ ଲେଖିଥିଲେ । ଏହି ଅବସରରେ କୃଷି ବିଭାଗର ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ, ଗରଦପୁର ବ୍ଲକ୍ ସହକାରୀ କୃଷି ଅଧିକାରୀ ପ୍ରିୟବ୍ରତ ଜେନା ,ଭିଏଡବ୍ଲୁ ପ୍ରଭାସିନୀ ପଟ୍ଟନାୟକ , ଏପିଏମ ରାଜେସ କୁମାର ସେନାପତି, କୃଷକ ସାଥି ବଂଶିଧର ମିଶ୍ର ପ୍ରମୁଖ ପେଟୁଆ ପାଟରେ ଥିବା ବାଦାମ ଜମିରେ ପହଂଚିଥିଲେ । ସେଠାରେ ଚାଷୀମାନେ କାଳିମୁଣ୍ଡିକୁ ଆୟତ କରିବା ପାଇଁ କୀଟନାଶକ ପକାଉଥିବା ଦେଖିଥିଲେ । କୃଷି ଅଧିକାରୀମାନେ ବିଲରେ ପହଂଚିବା ଦେଖି କେତେକ ଚାଷୀ ମଧ୍ୟ ସେଠାରେ ପହଂଚି ଯାଇଥିଲେ । କୃଷି ଅଧିକାରୀମାନେ ବାଦାମ ଜମିରେ କାଳିମୁଣ୍ଡି ପୋକ ସାଲୁବାଲୁ ହୋଇ ବୁଲୁଥିବା ଦେଖିଥିଲେ । ୫୦୦ ରୁ ଉଦ୍ଧ୍ୱର୍ ଜମିରେ କାଳିମୁଣ୍ଡି ଉଠି ବାଦାମ ଫସଏଲ ଚରିଯାଇଥିବା ଦେଖିଥିଲେ । ବାଦାମ ଗଛ ର ମୂଳ ଠିଆ ହୋଇଥିବାବେଳେ ବାଦାମ ଗଛର ପତ୍ର ଡ଼ାଳ ଓ ଫୁଲ କାଳିମୁଣ୍ଡି ଖାଇ ଶେଷ କରିଦେଇଥିବା ଦେଖିଥିଲେ । ବାଦାମ ଫସଲ ୯୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆତ୍ମା ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଥିଲେ । ଶୀତ ସାଙ୍ଗକୁ କୁହୁଡ଼ି ଓ କେହଲା ପାଗ ପାଇଁ ବାଦାମ ଜମିରେ କାଳିମୁଣ୍ଡି ପୋକ ସୃଷ୍ଟି ହୋଇଥିବା କୃଷି ଅଧିକାରୀ ଶ୍ରୀ ଜେନା କହିଥିଲେ । ତେବେ ଏହି କାଳିମୁଣ୍ଡି ପୋକକୁ ଦମନ ପାଇଁ ଫସଲ କୁ ସୁରକ୍ଷା ଦେବା ପାଇଁ ଟର୍ମିନେଟର ୧୧ ବା ମିନୋକ୍ରୋଟୋଫସ ଓ  ସାଇଫରମେଥିନ୍ କୁ ମିଶାଇ କୀଟନାଶକ ଭାବରେ ବାଦାମ ଫସଲରେ ସିଂଚନ କରିବା ପାଇଁ ଚାଷୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ୧୫ ଲିଟର ପାଣିରେ ୫୦ ଏମଏଲ ଟର୍ମିନେଟର ୧୧ କାଳିମୁଣ୍ଡି ଦମନ ପାଇଁ ବ୍ୟବହାର କରିବା ପାଇଁ ସେ କହିଥିଲେ । ବାଦମ ଚାଷୀ ସର୍ବଶ୍ରୀ ପ୍ରଫୁଲ ନାୟକ,ମାନସ କର ,ଅକ୍ଷୟ କର , ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସନାତନ କର ,କୈଳାଶ ପଣ୍ଡା,ଦାମୋଦର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃଷି ଅଧିକାରୀଙ୍କୁ କ୍ଷତିଗ୍ରସ୍ତ ବାଦାମ ଚାଷ ଜମି ଦେଖାଇବା ସହିତ ସରକାର ଙ୍କ ତରଫରୁ କ୍ଷତିପୂରଣ ମିଳିବାକୁ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ଉଲେଖନୀୟ ଏହିକି ପେଟୁଆ ପାଟରେ ପାଖଡ଼, ଗରଦପୁର  ଓ ବରହମପୁର ଲୋକଙ୍କର ଚାଷ ଜମି ରହିଛି । ଏବଂ ଏଠାରେ ଚାଷୀମାନେ ଅର୍ଥକାରୀ ଫସଲ ଭାବରେ ପ୍ରତିବର୍ଷ ବାଦମ ଚାଷ କରିଥାନ୍ତି । ଚଳିତ ବର୍ଷ କାଳିମୁଣ୍ଡି ପୋକ ଲାଗିଥିବାରୁ ଏହା ଚାଷୀଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.