ଗରଦପୁର, ୧୭/୦୧/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ମେଡ଼ିକାଲ ରେ ଆଜି ଏକ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ପାଟକୁରା ମେଡ଼ିକାଲ ର ସ୍ୱାସ୍ଥ୍ୟ ଅଧିକାରୀ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗୀ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ଉପଯୁକ୍ତ ଭିନ୍ନକ୍ଷମ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ସମାଜସେବୀ ଇଂ ପ୍ରକାଶ ଚନ୍ଦ୍ର ଜେନାଙ୍କ ଉଦ୍ୟମ କ୍ରମେ ପାଟକୁରା ମେଡ଼ିକାଲ ପରିସରରେ ଏହି ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଥିଲା । ପଳସୁଧା , ତେଣ୍ଡାକୁଡ଼ା, ପାଟକୁରା , କଳାବୁଦା, ତଳକୁସୁମା , ନଡ଼ିଆବରେଇ, ବନ୍ତଳା ଆଦି ପଂଚାୟତରୁ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ୨୫ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ସେମାନେ ଏହା ମାଧ୍ୟମରେ ଭିନ୍ନକ୍ଷମ ଭତା ପାଇଁ ଆବେଦନ କରିପାରିବେ ବୋଲି ଶିବିରରେ ସୂଚନା ଦିଆଯାଇଥିଲା । ଶିବିର ଆୟୋଜନରେ ମେଡ଼ିକାଲ କର୍ମଚାରୀ କସ୍ତୁରୀବା ମାହାଳୀ ସହଯୋଗ କରିଥିଲେ । କରୋନା ମହାମାରୀ ଯୋଗୁ ଗତ ୮ ମାସ ଧରି ମେଡ଼ିକାଲ ବୋର୍ଡ଼ ବୈଠକ ହୋଇନଥିବାରୁ ୧୨ ହଜାରରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ଆବେଦନ କରିଥିଲେ ମଧ୍ୟ ସାର୍ଟିଫିକେଟ ପାଇପାରୁନଥିଲେ । ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଏଭରଗ୍ରୀନ୍ ଫୋରମ ପକ୍ଷରୁ ଗରଦପୁର ବ୍ଲକ୍ ର ୨୦୦ ରୁ ଅଧିକ ଭିନ୍ନକ୍ଷମ ମାନଙ୍କର ମାଗଣାରେ ଅନଲାଇନ୍ ପଂଜିକରଣ କରାଯାଇ ସେମାନଙ୍କୁ ମେଡ଼ିକାଲ ବୋର୍ଡ଼ ସାମ୍ନା କରାଇ ଭିନ୍ନକ୍ଷମ ସାର୍ଟିଫିକେଟ ର ବ୍ୟବସ୍ଥା କରାଯାଇଛି ବୋଲି ଫୋରମ ର ପ୍ରତିଷ୍ଠାତା ଇଂ ଶ୍ରୀ ଜେନା ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର