ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଜାନୁୟାରୀ ୧୫ରୁ କଳାକାନୁନ ରଦ୍ଧ ଦାବିରେ ଜାନୁୟାରୀ ୨୧ ପର୍ଯ୍ୟନ୍ତ ବାହାରିଥିବା ୭ ଦିନିଆ କିଷାନ ଦିଲ୍ଲୀ ଚଲୋ ଯାତ୍ରାକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପ୍ରାରମ୍ଭରେ ଚଣ୍ଡିଖୋଲ, ଭଦ୍ରକରେ ଚାଷୀନେତାମାନଙ୍କୁ ସ୍ଥାନୀୟ ସଂଗଠନମାନେ ସମ୍ବର୍ଦ୍ଧନା ଦେବା ପରେ ଖଡ଼ଗପୁରରେ ଗୁରୁଦ୍ୱାର ପ୍ରବନ୍ଧନ ସମିତି ତରଫରୁ ଚାଷୀ ନେତୃତ୍ୱକୁ ସ୍ୱାଗତ କରାଯାଇଛି । ଏଠାରେ ନିମାଣପୁର ଅଂଚଳର ଶତାଧିକ ଲୋକ ଚାଷୀମାନଙ୍କୁ ସ୍ୱାଗତ କଲାପରେ ଶହ ଶହ ଚାଷୀ ଦୁଇ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ । ସେହିଭଳି ଝାଡ଼ଖଣ୍ଡର ବାହାରାଗୁଡ଼ା ଓ ଘାଟଶିଳାରେ କିଷାନ ଦିଲ୍ଲୀ ଚଲୋ ଯାତ୍ରା ପହଂଚିଲା ପରେ ସେଠାରେ ସ୍ଥାନୀୟ ବୁଦ୍ଧିଜୀବୀ ଚାଷୀ ନେତୃତ୍ୱ ଏବଂ ଯୁବବର୍ଗ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ସେପଟେ ଜାମସେଦପୁରରେ ପହଂଚିବା ପରେ ସେଠାରେ ସ୍ଥାନୀୟ ଝାଡ଼ଖଣ୍ଡର ବିଭିନ୍ନ ରାଜନୈତିକ ଦଳ, ଲୋକ ସଂଗଠନ ଓ ବିପ୍ଲବୀ ସଂଗଠନ ତରଫରୁ ଏକ ଜନସଭା ଆୟୋଜିତ କରାଯାଇଥିଲା । ଏହି ଜନସଭାରେ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ଚାଷୀମାନେ ରାଂଚି ଅଭିମୁଖେ ଯାତ୍ରା କରିଥିଲେ । ଟାଟା ନଗରରେ ଜନସଭାକୁ ସମ୍ବୋଧିତ କରି ଅକ୍ଷୟ କୁମାର କହିଥିଲେ ଯେ, କଳା କାନୁନ ପ୍ରତ୍ୟାହାର ନହେବା ଯାଏ ଏହି ମହାସଂଗ୍ରାମ ଚାଲୁ ରହିବ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ହିମାଂଶୁ ତିୱାରୀ, ଝାଡ଼ଖଣ୍ଡ ନେତା ଗୌରବ କ୍ରାନ୍ତିକାରୀ, ଉମାକାନ୍ତ ଭାରତ, ମନୱାର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର