ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଆସନ୍ତା ଫେବ୍ରୁଆରୀ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟୀଠାରେ ଜାତୀୟ ଜୁନିୟର୍ ଆଥଲେଟିକ୍ସ ଚମ୍ପିଆନଶିପ -୨୦୨୧ ଆୟୋଜିତ ହେବ । ଏହି ପ୍ରତିଯୋଗିତାଟି ଗତବର୍ଷ ଆୟୋଜିତ ହେବାର ଥିଲେ ହେଁ କୋଭିଡ୍ ସଂକ୍ରମଣ କାରଣରୁ ଏହା ବିଳମ୍ବିତ ହୋଇଥିଲା । ତେବେ ଏହି ପ୍ରତିଯୋଗିତାରେ ଭାଗ ନେବା ସକାଶେ ଓଡ଼ିଶା ଆଥଲେଟିକ୍ସ ଟିମ୍ ଚୟନ ସକାଶେ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍ (ଓଏଏ) ପକ୍ଷରୁ ଏକ ଦୁଇଦିନିଆ ସିଲେକ୍ସନ୍ ଟ୍ରାଏଲ୍ ଶନିବାରଠାରୁ ଆରମ୍ଭ ହୋଇଛି । ଶନିବାର ଏହି ଟ୍ରାଏଲ୍ ର ପ୍ରଥମ ଦିନରେ ୧୪ ବର୍ଷ ଓ ୧୬ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ ସିଲେକ୍ସନ୍ କରାଯାଇଛି । ରବିବାର ୧୮ ବର୍ଷ ଓ ୨୦ ବର୍ଷରୁ କମ୍ ପୁରୁଷ ଓ ଖେଳାଳିମାନଙ୍କର ଚୟନ କରାଯିବ । ପ୍ରଥମ ଦିନରେ ସମୁଦାୟ ୮୮ ଜଣ ବାଳକ ଓ ବାଳିକା ଏହି ଟ୍ରାଏଲ୍ ରେ ଭାଗନେଇଥିଲେ । ପ୍ରଥମ ଦିନରେ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ ୧୦ଟି ଇଭେଂଟରେ ଟ୍ରାଏଲ୍ ହୋଇଥିବା ବେଳେ ୧୬ ବର୍ଷରୁ କମ୍ ବର୍ଗରେ ୨୧ଟି ଇଭେଂଟ ରେ ଟ୍ରାଏଲ୍ ହୋଇଥିଲା । ସେହିପରି ରବିବାର ଶେଷ ଦିନରେ ପ୍ରାତଃ ୮ଟାରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଟ୍ରାଏଲ୍ ହେବ ଓ ଏଥିରେ ୧୫୦ରୁ ଊଦ୍ଧ୍ୱର୍ ପୁରୁଷ ଓ ମହିଳା ଆଥଲେଟ୍ ଅଂଶଗ୍ରହଣ କରିବେ । କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଏହି ସିଲେକ୍ସନ୍ ଟ୍ରାଏଲ୍ ର ଆୟୋଜନରେ ଓଏଏକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗ କରୁଛି । ଓଡ଼ିଶା ସମାଚାର