କେନ୍ଦୁଝର / ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)-: କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଶୀପୁର ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। କିଛି ଅସାମାଜିକ ନିଶାଗ୍ରସ୍ତ ସ୍ଥାନୀୟ ଅଂଚଳର ଯୁବକ ଏକ ଧଳା ରଙ୍ଗର ବୋଲେରୋ ଗାଡ଼ିରେ ଆସି ନୀରଂଜନ ପଟ୍ଟନାୟକଙ୍କ ଗାଡ଼ିକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍ଓ ରାଜେଶ ସିଂହ ଙ୍କୁ ମାଡ଼ ମାରିଛନ୍ତି। ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍ଓ ରାଜେଶ ସିଂହ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗାଡ଼ି କ୍ଷତିଗ୍ରସ୍ତ ହୋଇନାହିଁ । ଏକ ଭୋଜିରୁ ନିଶାଗ୍ରସ୍ତ ଅବସ୍ଥାରେ ଥିବା ଯୁବକମାନେ ନୀରଂଜନ ପଟ୍ଟନାୟକ ଙ୍କ ଗାଡ଼ି ବୋଲି ଜାଣିନାହାନ୍ତି । ନିଶାଗ୍ରସ୍ତ ଅବସ୍ଥାରେ ସେମାନେ ଏଭଳି ଆକ୍ରମଣ କରିଥିଲେ ବୋଲି ନୀରଂଜନ କହିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସ୍ଓ ରାଜେଶ ସିଂହ ଗାଡ଼ି (ଡବ୍ଲ୍ୟୁବି-୦୮-ଏଚ୍-୦୦୦୯)ରେ ଯାଉଥିବା ବେଳେ କାଶୀପୁରଠାରେ କିଛି ଅସାମାଜିକ ମଦ୍ୟପ ଯୁବକ ଏକ ବୋଲେରୋରେ ଆସି ନୀରଂଜନ ପଟ୍ଟନାୟକଙ୍କ ଗାଡ଼ି ଅଟକାଇ ଏଭଳି ଆକ୍ରମଣ କରିଥିଲେ। ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍ଓ ଶ୍ରୀ ସିଂହ କେନ୍ଦୁଝର ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍ ନମ୍ବର ୨୯/୨୧ ଦଫା ୩୪୧, ୨୯୪, ୩୨୩, ୩୦୭, ୪୨୭, ୫୦୬ ଓ ୩୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସମାଚାର