ଭୁବନେଶ୍ୱର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)-ଓଡ଼ିଶାର ବିଶିଷ୍ଟ ସିନେ ସାମ୍ବାଦିକ ତଥା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ପ୍ରତିଷ୍ଠାତା ସମ୍ପାଦକ ପରିକ୍ଷୀତ ଜେନାଙ୍କର ନୂଆପଲ୍ଲୀସ୍ଥିତ ବାସଭବନରେ ଶନିବାର ଭୋର ୫.୩୦ ମିନିଟ ସମୟରେ ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ଚାରିପୁଅ, ବୋହୁ, ସାନଭାଇ ଭାସ୍କର ଜେନାଙ୍କ ସମେତ ପରିବାର ସଦସ୍ୟ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ମୃତୁ୍ୟ ପର୍ଯ୍ୟନ୍ତ ସେ ଚଳଚଂଚଳ ରହିଥିଲେ । ଶନିବାର ଭୋର ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସ୍ଥାନୀୟ ଉସ୍ତି ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା ଏବଂ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଶ୍ରୀ ଜେନାଙ୍କର ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ରାଜଧାନୀର ବହୁ ବିଶିଷ୍ଟ ବ୍ୟକ୍ତି, ଓଡ଼ିଆ ଚଳଚ୍ଚିତ୍ରଜଗତ ସହ ସମ୍ପୃକ୍ତ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ୧୯୪୨ ମସିହା ଅକ୍ଟୋବର ୨୫ ତାରିଖରେ ଭଦ୍ରକର ମହୁରା ଗ୍ରାମରେ ଜନ୍ମଲାଭ କରିଥିବା ଶ୍ରୀ ଜେନା ତାଙ୍କର ଶିକ୍ଷା ସମାପ୍ତ କରିବା ପରେ ରାଜ୍ୟ ସଚିବାଳୟରେ ଚାକିରୀ କରି ପ୍ରଥମ ଶ୍ରେଣୀ (କନିଷ୍ଠବର୍ଗ) ଅଫିସର ଭାବେ ଅବସର ଗ୍ରହଣ କରିଥିଲେ । ୧୯୬୮ ମସିହାରୁ ଦୀର୍ଘ ୫୦ବର୍ଷ ଧରି ସେ ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ ପ୍ରକାଶ କରିଆସୁଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି । ଜଣେ ଗଳ୍ପ ଲେଖକ ତଥା ନାଟକ ରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା । ସେହିପରି ବିିଭିନ୍ନ ସାଂସ୍କୃତି ସଂଗଠନ ସହ ସେ ଜଡ଼ିତ ଥିଲେ । ଚଳଚ୍ଚିତ୍ର ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ସେ ଅନେକ ସମ୍ମାନ ଓ ସ୍ୱୀକୃତି ଲାଭ କରିଥିଲେ । ବିଶେଷକରି ଓଡ଼ିଶା ଫିଲ୍ମ ଫେୟାର ଆୱାର୍ଡ଼, ସୋ ଟାଇମ ଆୱାର୍ଡ଼, ଚଳଚ୍ଚିତ୍ର ଜଗତ ଭୀମସିଂ ଆୱାର୍ଡ଼, କାଦମ୍ବିନୀ ପତ୍ରିକା ପୁରସ୍କାର, ମିଳନୀ ପୁରସ୍କାର, ସଚିବାଳୟ ସାଂସ୍କୃତିକ ପରିଷଦ ପୁରସ୍କାର, ଓଡ଼ିଶା ଫିଲ୍ମ ପ୍ରଡ଼ୁ୍ୟସରସ ଆସୋସିଏସନ ପୁରସ୍କାର ମଧ୍ୟ ସେ ଲାଭ କରିଥିଲେ ।
ଶ୍ରୀ ଜେନାଙ୍କ ଅକାଳ ବିୟୋଗ ଖବର ପାଇ ରାଜ୍ୟସଭା ସାସଂଦ ତଥା ଚଳଚ୍ଚିତ୍ର ଅଭିନେତା ମୁନା ଖାଁ, ପପୁ ପମ୍ ପମ୍, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବୈଷ୍ଣବ ଚରଣ ଜେନା, ବିଜୟ ପଣ୍ଡା, ଭାଗବତ ତ୍ରିପାଠୀ, ସଞ୍ଜୟ ଦାସ, ସଞ୍ଜୟ ପ୍ରଧାନ, ଅବିନାଶ ମିଶ୍ର, ସୁରେନ୍ଦ୍ର ସାହୁ, ବିବେକାନନ୍ଦ ଜେନା, ବିରୁପାକ୍ଷ ତ୍ରିପାଠୀ, ଅଜିତ ଦାସ, ଅଜିତ ନାୟକ, ସତ୍ୟବାଦୀ ନାୟକ, ସନାତନ ଦଳବେହେରା, ପ୍ରିୟ ସାହୁ, ବିଜୟ ପରିଡ଼ା ଓ ବରିଷ୍ଠ ସିନେ ସାମ୍ବାଦିକ ଦିଲ୍ଳୀପ ହାଲିଙ୍କ ସମେତ ବହୁ ସାମ୍ବାଦିକ ମଧ୍ୟ ଶେଷ ଦର୍ଶନ କରିଥିଲେ । ଶ୍ରୀ ଜେନାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା ଜ୍ୟେଷ୍ଠପୁତ୍ର ସାମ୍ବାଦିକ ପାର୍ଥସାରଥୀ ଜେନା ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର