ଟିକା ପ୍ରସ୍ତୁତ କରି ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଶକ୍ତିର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)-କରୋନା ମହାମାରୀରସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି ତଥା ଆତ୍ମନିର୍ଭର ଭାରତର ସବୁଠୁ ବଡ଼ ଅଧ୍ୟାୟ ଲେଖିଛି ବୋଲି ଶନିବାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ବିଶ୍ୱର ସବୁଠୁ ବଡ ଟୀକାକରଣ ଅଭିଯାନ ଆରମ୍ଭ ହେବା ପ୍ରସଙ୍ଗରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ବିରୁଦ୍ଧରେ ମାନବତାର ଲଢ଼େଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଭୁତପୂର୍ବ କ୍ଷଣ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କରୋନାକୁ ସମ୍ନା କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଏହି ଟିକାଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମେତ ଭାରତବର୍ଷରେ କରୋନା ଟୀକାକରଣର ସଠିକ୍ କ୍ରିୟାନ୍ୱୟନ ହେବ ବୋଲି ମୋର ବିଶ୍ୱାସ । ଆମର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମରେ ଦେଶ ଆଜି ଏକ କୀର୍ତିମାନ ରଚିବାକୁ ଯାଉଛିାକରୋନା ବିରୁଦ୍ଧରେ ଏହି ନିର୍ଣ୍ଣାୟକ ପର୍ଯ୍ୟାୟକୁ ସମର୍ଥନ କରି ଦେଶ ଦ୍ୱାରା ଲେଖାଯାଉଥିବା “ଆରୋଗ୍ୟତା”ର ଏହି ଲିପିବଦ୍ଧରେ ନିଜର ଯୋଗଦାନ ଦେବା ପାଇଁ ସମସ୍ତ ଦେଶବାସୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ସେହିପରି ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ । କରୋନା ସଂକଟ ଏପର୍ଯ୍ୟନ୍ତ ଶେଷ ହୋଇ ନଥିବା ବେଳେ ସମସ୍ତଙ୍କୁ ସତର୍କ ରହିବା ସହ ଭାରତ ସରକାରଙ୍କ କୋଭିଡ୍ ନିୟମ ପାଳନ କରିବା ଓ ଅପପ୍ରଚାର ଠାରୁ ଦୁରେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର