Monday , March 20 2023
Breaking News
Home / କୃଷି / ସିଫାଦ୍ୱାରା ଜଳକୃଷି କୃଷକ କ୍ଷେତ୍ର ବିଦ୍ୟାଳୟ ଉଦଘାଟିତ

ସିଫାଦ୍ୱାରା ଜଳକୃଷି କୃଷକ କ୍ଷେତ୍ର ବିଦ୍ୟାଳୟ ଉଦଘାଟିତ

ଭୁବନେଶ୍ୱର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା (ସିଫା) ଓ ଶସ୍ୟଶ୍ୟାମଳା କୃଷି ବିଜ୍ଞାନ କେନ୍ଦ୍ର, ସୋନାରପୁରର ମିଳିତ ଉଦ୍ୟମରେ ପଶ୍ଚିମବଙ୍ଗ ରାଜ୍ୟର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୋନାରପୁର ଠାରେ ଏସସିଏସପି ଯୋଜନାର ସଂଯୋଜକ ଡଃ ବି. ଏନ୍. ପଲ୍ ଓ ଶସ୍ୟଶ୍ୟାମଳା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଏନ୍. ସି. ସାହୁଙ୍କ ନେତୃତ୍ୱରେ ଦୁଇଟି, ଜଳକୃଷି କୃଷକ କ୍ଷେତ୍ର ବିଦ୍ୟାଳୟ (ଏଏଫଏଫଏସ୍)ଏବଂ ଲାଇଭଷ୍ଟକ୍ କୃଷକ କ୍ଷେତ୍ର ବିଦ୍ୟାଳୟ (ଏଲଏଫଏଫଏସ୍)ସ୍ୱାମୀ ସର୍ବଲୋକାନନ୍ଦଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।
ଏହାଦ୍ୱାରା ୨୦ଟି ଗ୍ରାମର ୫୦୦୦ କୃଷକ ଉପକୃତ ହେବା ସହିତ ଜଳକୃଷି ଓ ଗୋପାଳନ ବିଷୟରେ ସବିଶେଷ ପ୍ରଯୁକ୍ତିବିଦ୍ୟା ହାସଲ କରିପାରିବେ । କାନ୍ଥବିହୀନ ଏହି ବିଦ୍ୟାଳୟରେ କୃଷକମାନେ ପରସ୍ପର ମଧ୍ୟରେ ଭାବବିନିମୟ କରି ନିଷ୍ପତି ନେବାର ଦକ୍ଷତା ଓ କୃଷିବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ହାସଲ କରିପାରିବେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତ ସରକାରଙ୍କ ଯୁଗ୍ମସଚିବ ଶ୍ରୀସାଗର ମେହେରା ଉପସ୍ଥିତ କୃଷକମାନଙ୍କୁ ସମ୍ବୋଧିତକରିଥିଲେ । ତତପରେ ଶସ୍ୟଶ୍ୟାମଳା କୃଷିବିଜ୍ଞାନକେନ୍ଦ୍ରର ଉପସଭାପତି ସ୍ୱାମୀ ଶିବପୁରାନନ୍ଦ ନିଜର ବକ୍ତବ୍ୟ ରଖିଥିଲେ । ଆଇସିଏଆର୍-ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ଉପସ୍ଥିତ କୃଷକମାନଙ୍କୁ ଉଦବୋଧନ ଦେଇ ଶସ୍ୟଶ୍ୟାମଳା କୃଷିବିଜ୍ଞାନ କେନ୍ଦ୍ର ଓ ସିଫାର ମିଳିତ ସହଯୋଗରେ ଚାଲିଥିବା ମତ୍ସ୍ୟ ଚାଷ ଓ ଅନ୍ୟାନ୍ୟ କୃଷିର ବିଭିନ୍ନ ଯୋଜନା ଗୁଡ଼ିକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଛତିଶଗଡ଼ ଓ ଓଡ଼ିଶା ରେ ଏହି ଏଏଫଏଫଏସ୍ ଜନପ୍ରିୟ ହୋଇପାରିଛି ଓ ଏହାଦ୍ୱାରା ପଶ୍ଚିମବଙ୍ଗର କୃଷକମାନେ ସଂପ୍ରସାରଣ ଓ ପରାମର୍ଶ ସେବା ପାଇପାରିବେ ।ଏହି ଅବସରରେ କୃଷିକ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି କୃଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କୃଷକ ଶ୍ରୀମତୀ ସୁନିତି ମଣ୍ଡଳ ଓ ଶ୍ରୀ ଅକ୍ଷୟ ମଣ୍ଡଳଙ୍କୁ ସିଫାର ନିର୍ଦ୍ଧେଶକ ଡଃ ସ୍ୱାଇଁ ସମ୍ମାନୀତ କରିଥିଲେ ।ଏଟିଏଆରଆଇ ର ନିର୍ଦ୍ଧେଶକ ଡଃ ଏସ୍. କେ. ଋାୟ କୃଷକମାନଙ୍କୁ ସହଯୋଗ କରୁଥିବାରୁ ସିଫାର ଭୂୟସୀ ପ୍ରଶଂସା କରିଥିଲେ ଓ ଉଦଘାଟିତହୋଇଥିବା ନୂତନ ବିଦ୍ୟାଳୟ ଦ୍ୱୟ ଗବେଷଣା ଓ ସଂପ୍ରସାରଣ ମଧ୍ୟରେ ଥିବା ଶୂନ୍ୟସ୍ଥାନକୁ ଏକ ସେତୁ ରୂପରେ କାର୍ଯ୍ୟକରିବବୋଲି କହିଥିଲେ । ପ୍ରଧାନ ବୈଜ୍ଞାନିକ ତଥା ଏଫଏନପିଡିର ବିଭାଗୀୟମୁଖ୍ୟ ଡଃଏସ୍. ଏସ୍. ଗିରି ଗ୍ରାମାଂଚଳରେ ଜୀବିକାର୍ଜନ ସୁଦୃଢ କରିବା ପାଇଁ ଜଳକୃଷି ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ହିମାଂଶୁ କୁମାର ଦେ, ଡଃ ସ୍ୱାଗତ ଘୋଷ, ଡଃ ବି. ଏନ୍. ପଲ୍, ଡଃ ଏସ୍. ଅଧିକାରୀ, ସ୍ୱାମୀ ଶିବାପୂର୍ଣ୍ଣାନନ୍ଦ, ସ୍ୱାମୀ ଭାବାନ୍ତକନନ୍ଦ ଆଦି ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୃଷକ-ବୈଜ୍ଞାନିକ ପ୍ରଶ୍ନୋତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠିକି ହିତାଧିକାରୀ, କୃଷକ, ରାଜ୍ୟ ସରକାରଙ୍କ ଅଧିକାରୀ, କୃଷିବିଜ୍ଞାନ କେନ୍ଦ୍ରର ଅଧିକାରୀ ମାନେ ଉପସ୍ଥିତରହି ଚାଷୀମାନଙ୍କ ପ୍ରଶ୍ନର ଉତର ରଖିଥିଲେ । କୋଭିଡ ଗାଇଡଲାଇନ୍ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପ୍ରାୟ ୨୦୦ କୃଷକ ଯୋଗଦାନ କରିଥିଲେ । ଶେଷରେ କୃଷକମାନଙ୍କୁ ଛେଳି, କୁକୁଡ଼ାଚିଆଁ, ମାଛ, ଚୂନ, ଖାଦ୍ୟ, ଖାଦ୍ୟ ପ୍ରସ୍ତୁତି ମେସିନ୍ ଓ ଅନ୍ୟାନ୍ୟ କୃଷି ଉପକରଣ ବଂଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଡଃ ବି. ଏନ୍. ପଲ୍ ଓ ଡଃ ଏନ୍. ସି. ସାହୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.