ଭୁବନେଶ୍ୱର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ମକର ସଂକ୍ରାନ୍ତି ପୂର୍ବାହ୍ନରେ ବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଭୁବନେଶ୍ୱର ନିକଟ ନୂଆଗାଁ ଠାରେ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସଂପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶଗ୍ରହଣକାରୀ ବକ୍ତାମାନେ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ଫକୀର ମୋହନଙ୍କ ଗୁଣାବଳୀ ଏବଂ କାବିକ ପ୍ରତିଭାର ପ୍ରଶଂସା କରି, ସେ ଓଡ଼ିଆ ଭାଷାର ଦୁର୍ଦ୍ଧିନରେ ଛ’ମାଣ ଆଠଗୁଣ୍ଠ, ଲଚ୍ଛମା, ମାମୁଁ ପ୍ରଭୃତି ଉପନ୍ୟାସ ତଥା ପେଟେଂଟ ମେଡିସିନ୍ ପରି ସଂସ୍କାରମୂଳକ କ୍ଷୁଦ୍ର ଗଳ୍ପମାନ ଲେଖି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଅତ୍ୟନ୍ତ ଋଦ୍ଧିମନ୍ତ କରିଥିବାରୁ ଓଡ଼ିଆ ଜାତି ତାଙ୍କ ନିକଟରେ ଚିରଋଣୀ ବୋଲି ମତ ରଖିଥିଲେ ।
ଏହି ଅବସରରେ ତାଙ୍କ ଲେଖା ‘ଛ ମାଣ ଆଠ ଗୁଣ୍ଠ’ ପ୍ରେମଚାନ୍ଦଙ୍କ ‘ଗୋଦାନ’ ଠାରୁ ଅଧିକ ଉଚ୍ଚମାନର ହୋଇଥିଲେ ମଧ୍ୟ ସର୍ବଭାରତୀୟ ସ୍ତରରେ ତାଙ୍କ ପ୍ରତିଭାକୁ ଉପଯୁକ୍ତ ସ୍ଥାନ ମିଳିନପାରିବା ଆମର ଦୁର୍ଭାଗ୍ୟ ବୋଲି ମତ ପ୍ରକାଶ ପାଇବା ସହ ଭବିଷ୍ୟତ ପିଢୀ ଏ ଦିଗରେ ସଂଗ୍ରାମ ଜାରି ରଖିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା । ବିଶେଷ କରି ଭାଷା ଭିତିିରେ ପ୍ରଥମ ରାଜ୍ୟ ଓଡ଼ିଶା ଗଠନ ଏବଂ ନିକଟ ଅତୀତରେ ଓଡ଼ିଆ ଭାଷାକୁ ଷଷ୍ଠତମ ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା କଥା ବିଚାର କଲାବେଳେ ଏହି ଯୋଗଜନ୍ମା, ପ୍ରଥିତଯଶା ସାହିତ୍ୟ ସ୍ରଷ୍ଟାଙ୍କ କୃତୀକୁ ଅଣଦେଖା କରାଯାଇ ନପାରେ ବୋଲି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।ଏତଦ୍ ବ୍ୟତୀତ ବର୍ତମାନର ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ କରାଯାଇଥିବା ସଂଶୋଧିତ ଭାଷା ଆଇନର ଅନୁପାଳନ କରାଗଲେ ତାହା ଫକୀରମୋହନଙ୍କ ଲିଖିତ ପଂକ୍ତି “ପଢ ଇଂରାଜୀ ବାବୁ ମନା କରୁ ନାହିଁ ଯାହା କରୁଛ କର ଜାତିକୁଳ ଚାହିଁ” ପ୍ରତି ଉପଯୁକ୍ତ ସମ୍ମାନ ହୋଇପାରନ୍ତା ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ଆଶା ପ୍ରକାଶ କରାଯାଇଅଛି । କାର୍ଯ୍ୟକ୍ରମ ଦ୍ୱୟ ପାଇଁ ଶେଷରେ ଇଂ ସତ୍ୟଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୋଭିଡ୍-୧୯ କଟକଣା ସହ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡା. କାଶୀନାଥ ରଥ, ତ୍ରିନାଥ ସାମନ୍ତରାୟ, ପଠାଣି ଜେନା, ଯୁଗଳ କିଶୋର ନାୟକ, ଭରତ କୁମାର ଜେନା, ବୈରାଗୀ ସେଠୀ, ଗିରିଜା ଶଙ୍କର ମହାପାତ୍ର,କାଳନ୍ଦୀ ନାୟକ ଓ ସଂଗ୍ରାମ ଭୋଇ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର