Thursday , March 23 2023
Home / ବିଶେଷ / କୁଜଙ୍ଗ ପୁରୁଣା ତହସିଲ କାର୍ଯ୍ୟାଳୟ ସଂଗ୍ରହାଳୟ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି

କୁଜଙ୍ଗ ପୁରୁଣା ତହସିଲ କାର୍ଯ୍ୟାଳୟ ସଂଗ୍ରହାଳୟ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି

ପାରାଦ୍ୱୀପ ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ପ୍ରକାଶିତ ଓ ଡକ୍ଟର ଭୋଳାନାଥ ରାଉତଙ୍କ ଦ୍ୱାରା ସଂପାଦିତ ‘ଜଗତସିଂପୁର  ଅତୀତ ଓ ବର୍ତମାନ’ ପୁସ୍ତକର ତଥ୍ୟ ଅନୁଯାୟୀ ଆଜକୁ ଅଢେଇଶହ ବର୍ଷ ତଳେ ଷେଣ୍ଡ ବଂଶୀୟ ରାଜାମାନଙ୍କ ଦ୍ୱାରା କୁଜଙ୍ଗରାଜ୍ୟ ଶାସିତ ହୋଇଆସୁଥିବାବେଳେ ଏହାର ପରିଚାଳନା ପାଇଁ କୁଜଙ୍ଗ ଠାରେ ସେ ସମୟରେ ଏକ ଇଟାକାନ୍ଥ ନିର୍ମିତ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା । ଯେଉଁଥିରେ ରାଜ୍ୟର ପ୍ରଶାସନିକ କାର୍ଯ୍ୟ ଚାଲୁଥିବାବେଳେ ବିଷେଶକରି ରାଜସ୍ୱ ଆଦାୟର ଏହା ଥିଲା ପ୍ରମୁଖ ମାଧ୍ୟମ । କୁଜଙ୍ଗର ଶେଷ ସ୍ୱାଧିନ ରାଜା ବିଦ୍ୟାଧର ଷେଣ୍ଡ ଆଇନଗତ ଲଢେଇରେ ପରାସ୍ତ ହେବାରୁ ଏହି ରାଜ୍ୟ ନିଲାମ ହୋଇ ବର୍ଦ୍ଧମାନ ରାଜାଙ୍କ ହାତକୁ ଚାଲିଗଲା ପରେଏହି କାର୍ଯ୍ୟାଳୟରେ ଆରମ୍ଭ ହୋଇଥିଲା କୁଜଙ୍ଗ ତହସିଲ । ଏହା ୨୦୧୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକରି ଶେଷରେ ଗତବର୍ଷ ନୂତନ କୋଠାକୁ ସ୍ଥାନାନ୍ତରିତ ହୋଇଛି ତହସିଲ କାର୍ଯ୍ୟାଳୟ । ଏବେ ପୁରାତନ ଐତିହାସିକ କୋଠାକୁ ଅସୁରିକ୍ଷିତ ଓ ପରିତ୍ୟକ୍ତ ଅବସ୍ଥାରେ ଦିନକୁ ଦିନ ଜରାଜୀର୍ଣ୍ଣ ହୋଇ ନିଶ୍ଚିନ୍ନ ଆଡକୁ ଗତି କରୁଥିବାବେଳେ ଏହାର ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାପାଳ ଥିବା ସଂଗ୍ରାମ କେଶରୀ ମହାପାତ୍ର ଏହି ଐତିତ୍ୟ ସଂପର୍ଣ୍ଣ ତଥା ଅନେକ  ଘଟଣାର ମୁକସାକ୍ଷୀ କୋଠାଟିର ମରାମତି ଓ ପୁନଃଉଦ୍ଧାର କରାଯାଇ ଏକ ସଂଗ୍ରହାଳୟ କରାଯିବ ବୋଲି କୁଜଙ୍ଗ ଠାରେ ବୁଦ୍ଧିଜୀବୀ ମାନଙ୍କ ଦୃଷ୍ଟି ଆକର୍ଷଣ ବେଳେ ପ୍ର୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ପ୍ରତିଶୃତି ପରେ କୁଜଙ୍ଗ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ଧନ୍ୟବାଦ ଜଣାଇଛନ୍ତି । ଖୁବ୍ଶୀଘ୍ର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର କର୍ତୃପକ୍ଷଙ୍କୁ ସଂଗ୍ରାହଳୟ ସଂପର୍କରେ ପତ୍ର ଲେଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ତରାଇଙ୍କୁ ସୂଚନା ଦେଇଛନ୍ତି ।  ତେବେ ଜିଲ୍ଲାପାଳଙ୍କ ପ୍ରତିଶୃତି କାର୍ଯ୍ୟକାରୀ ହୋଇପାରିଲେ ଜିଲ୍ଲାରେ ଏହା ହେବ ପ୍ରଥମ ସଂସ୍କୃତି ସଂଗ୍ରାହଳୟ । ଏଥିରେ କୁଜଙ୍ଗ ରାଜ୍ୟ ଶାସନର ଚାରିଶହ ବର୍ଷ ତଳର ରାଜ୍ୟ ପରିଚାଳନା ର ନଥିପତ୍ର, ନୌବାଣିଜ୍ୟର ଉପକରଣ, ଶାସ୍ତ୍ର-ଧର୍ମ-ସାହିତ୍ୟର ତାଳପତ୍ର ଖୋଦା, ଯୁଦ୍ଧ କୌଶଳର ଅସ୍ତ୍ରଶସ୍ତ୍ର, ପୁରାତନ କୁଜଙ୍ଗର ବହୁ ତଥ୍ୟ ଏଥିରେ ଜଡିତ ହୋଇ ଆଗାମୀ ପିଢିପାଇଁ ଏହା ଶିକ୍ଷଣିୟ ଓ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ତରାଇ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.