Wednesday , March 29 2023
Home / ବିଶେଷ / ସିୱାଇଏସଡି ପକ୍ଷରୁ ପ୍ରାକ୍ ବଜେଟ ୱେବିନାର

ସିୱାଇଏସଡି ପକ୍ଷରୁ ପ୍ରାକ୍ ବଜେଟ ୱେବିନାର

ଆଦିବାସୀ ସ୍ୱାସ୍ଥ୍ୟ ଓ କୃଷିକୁ ପ୍ରାଥମିକତା ତଥା ସାମାଜିକ କ୍ଷେତ୍ରରେ ବଜେଟର ୫୦ ପ୍ରତିଶତ ଖର୍ଚ୍ଚ ପାଇଁ ପ୍ରସ୍ତାବ
ଭୁବନେଶ୍ୱର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- କରୋନା କାଳରେ ବିଶ୍ୱବ୍ୟାପୀ ଜନଗଣଙ୍କ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟ, ଜୀବିକା ଓ ଅର୍ଥନୀତି । ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଆଦିବାସୀ ଓ ସ୍ଥାନାନ୍ତରୀ ଶ୍ରମିକ । ବିପଦସଙ୍କୁଳ ଜନଜାତିଙ୍କ ସ୍ୱାସ୍ଥ୍ୟ ଏବେ ଚିନ୍ତାର ବିଷୟ ହୋଇଛି । ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ଓ ଜୀବିକା ସାଙ୍ଗକୁ ସାମାଜିକ ସୁରକ୍ଷା ପଦକ୍ଷେପ ନେବା ପାଇଁ ବଜେଟରେ ବ୍ୟୟ ବରାଦ ରହିବା ଆବଶ୍ୟକ । ତା’ ସହିତ ପ୍ରାକୃତିକ କୃଷିର କୌଶଳକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ବୋଲି ସିୱାଇଏସଡି ଓ ଓଡ଼ିଶା ବଜେଟ ଆକାଉଂଟେବିଲିଟି ସେଂଟର (ଓବାକ) ପକ୍ଷରୁ ଆୟୋଜିତ ୱେବିନାରରେ ପରାମର୍ଶ ଦିଆଯାଇଛି । ସେହିଭଳି ମୋଟ ରାଜ୍ୟ ବଜେଟର ୫୦ ପ୍ରତିଶତ ଅର୍ଥ ସାମାଜିକ କ୍ଷେତ୍ର ଗୁଡ଼ିକରେ ଆବଂଟନ ହେବାର ଆବଶ୍ୟକତା ରହିଥିବା ନେଇ ପରାମର୍ଶ ଆସିଛି । ମଙ୍ଗଳବାର ଆୟୋଜିତ ଏହି ୱେବିନାରରେ ଭିଡିଓ ବାର୍ତା ଦେଇ ମାଲକାନଗିରି ଖଇରପୁଟ ବ୍ଲକର ଚାଷୀ ମିଶ୍ର ସୁଜା ନିଜ ଚାଷଜମିକୁ ଜଳ ନ ଥିବା କହିଥିଲେ । ଦଶମନ୍ତପୁର ବ୍ଲକର ଚାଷୀ ବିହନ ଅଭାବକୁ ସାମ୍ନା କରୁଥିବା ଦର୍ଶାଇଥିଲେ । କେନ୍ଦୁଝରର ଶିକ୍ଷକ ସହଦେବ ମହାନ୍ତ କରୋନା ସମୟରେ ଅନଲାଇନ କ୍ଲାସରେ ସବୁପିଲା ସୁଯୋଗ ପାଉ ନ ଥିବା କହିଥିଲେ । ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟା ସନ୍ତୋଷୀ ବାରିକ ଦଳର ସଦସ୍ୟାମାନଙ୍କ ତାଲିମ ଓ ଆର୍ଥିକ ବ୍ୟବସ୍ଥା ଲୋଡ଼ିଥିଲେ । ଅଙ୍ଗନବାଡ଼ି କର୍ମୀ ମମତା ଗନ୍ତାୟତ ସମାନ କାମକୁ ସମାନ ବେତନ କଥା କହିବା ସହ ସରକାର ପୁଷ୍ଟିକର ଖାଦ୍ୟ ଯୋଗାଣ ବଜାର ଦରକୁ ଦୃଷ୍ଟିରେ ରଖି କରିବା ଦରକାର ବୋଲି କହିଥିଲେ । କରୋନା ଏକାଧିକ ସମସ୍ୟା ସୃଷ୍ଟି କରିଛି । ଏହାର କ୍ଷତ ଭରଣା ପାଇଁ ସରକାର ବଜେଟ ପରିମାଣକୁ ବଢ଼ାଇବାର ଆବଶ୍ୟକତା ରହିଛି । ସାମାଜିକ କ୍ଷେତ୍ରରେ ଓଡ଼ିଶା ୫୦ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ଆଲୋଚକମାନେ ପରାମର୍ଶ ଦେଇଥିଲେ । ସେହିଭଳି ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ବାବଦରେ ମାତ୍ର ୫.୧୩ ପ୍ରତିଶତ ଖର୍ଚ୍ଚ କରୁଛି । ଏହା ୮ ପ୍ରତିଶତ କରାଯିବା ନେଇ ମତପୋଷଣ କରାଯାଇଥିଲା । ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନେକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏ ସମସ୍ତ ଯୋଜନାକୁ ମିଶାଇ ଗୋଟିଏ ଯୋଜନା କରିପାରିଲେ ସ୍ୱଚ୍ଛତା ଓ ଉତରଦାୟିତ୍ୱ ନିର୍ବାହ କରାଯାଇ ପାରିବ । ପରିବାରଗୁଡ଼ିକୁ ପାଇପ ଜଳ ଯୋଗାଣ ପାଇଁ ବସୁଧା ଜଳ ଜୀବନ ମିଶନ ଆଦି କାର୍ଯ୍ୟକ୍ରମ ରହିଛି । କିନ୍ତୁ ଦୁର୍ଗମ ପାହାଡ଼ିଆ ଅଂଚଳରେ ଏହା ହୋଇପାରୁ ନାହିଁ । ଏସବୁ ଅଂଚଳରେ ଜଳାଶୟ ଚିହ୍ନଟ, ବିକାଶ ଓ ପାଇପ ସଂଯୋଗ କରାଯିବା ପାଇଁ ଆର୍ଥିକ ବ୍ୟବସ୍ଥା ରହୁ ।
ନଗରାଂଚଳରେ ସ୍ୱିୱେଜ ପରିଚାଳନା ପାଇଁ ଯୋଜନା ଅଛି, ବଜେଟ ମଧ୍ୟ ଅଛି । କିନ୍ତୁ ଗ୍ରାମାଂଚଳରେ ଏଭଳି ପ୍ରାବଧାନ ନାହିଁ । ଗ୍ରାମାଂଚଳରେ ସ୍ୱିୱେଜ ବ୍ୟବସ୍ଥା କରାଯିବା ସହିତ ଚଳନଶକ୍ତି ରହିତ ଦିବ୍ୟାଙ୍ଗମାନଙ୍କ ସର୍ବସାଧାରଣ ସ୍ଥାନରେ ଚଳପ୍ରଚଳ ପାଇଁ ଆବଶ୍ୟକୀୟ ସୁବିଧା ଓ ଭିତିଭୂମି ନିର୍ମାଣ କରାଯାଉ । ରାଜ୍ୟ ସରକାର ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିର ୨୦ଟି ବ୍ଲକରେ ଏମନରେଗା ମଜୁରି ୨୮୨ ଟଙ୍କା ୩୦ ପଇସା ଦୈନିକ ମଜୁରି ପ୍ରଦାନ କରୁଛନ୍ତି । ଏହା ସମଗ୍ର ଓଡ଼ିଶାରେ କାର୍ଯ୍ୟକାରୀ କରିବା ଉଚିତ । ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯାଇ ନାହିଁ । ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡ଼ିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯିବା ସହିତ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି । ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି, ପ୍ରାକ ଶୈଶବ ଶିକ୍ଷାକୁ ଗୁରୁତ୍ୱ, ସାରା ରାଜ୍ୟର ଶିକ୍ଷକମାନଙ୍କୁ ତାଲିମ, କୃଷି ଗବେଷଣା ସଂସ୍ଥାରେ ଖାଲିଥିବା ପଦବୀର ପୂରଣ, ଡିଜିଟାଲ ପ୍ଲାଟଫର୍ମର ସୁଦୃଢ଼ୀକରଣ, ପ୍ରତ୍ୟେକ ଜିଲା ଓ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଗଠନ ପାଇଁ ବଜେଟରେ ପ୍ରାବଧାନ ରହୁ । ସିୱାଇଏସଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ ୱେବିନାରକୁ ସ୍ୱାଗତ କରିଥିଲେ । ସଂଯୋଜକ ବସନ୍ତ କୁମାର ନାୟକ ବଜେଟରେ ଜନଗଣଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳିତ ହେବା ପାଇଁ ଏହି କର୍ମଶାଳା ଆୟୋଜିତ ବୋଲି ସୂଚନା ଦେଇଥିଲେ । ୱାସନର ଏ.ରବୀନ୍ଦ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା.ଆକ୍ୱିନେଟ, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ନନ୍ଦ, ପ୍ରଭାତ କୁମାର ମିଶ୍ର, ଡ. ସତ୍ୟପ୍ରିୟ ରଥ, ନବନୀତା ପ୍ରମୁଖ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.