Sunday , April 2 2023
Breaking News
Home / ବିଶେଷ / ସଂସ୍କୃତି ଓ ସଂସ୍କୃତିର ମିଳନୀ ସନ୍ଧ୍ୟା -‘ଭଲ ପାଇବାର ବର୍ଷ’ର ଆନୁଷ୍ଠାନିକ ଶୁଭାରମ୍ଭ

ସଂସ୍କୃତି ଓ ସଂସ୍କୃତିର ମିଳନୀ ସନ୍ଧ୍ୟା -‘ଭଲ ପାଇବାର ବର୍ଷ’ର ଆନୁଷ୍ଠାନିକ ଶୁଭାରମ୍ଭ

ଭୁବନେଶ୍ୱର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ସଂସ୍କୃତି’ ଆନୁକୂଲ୍ୟରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ମନୋଜ୍ଞ ମିଳନୀ ସମାରୋହରେ “ଭଲ ପାଇବାର ବର୍ଷ – ୨୦୨୧”ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି  । ବହୁ ସାଧୁ, ସନ୍ଥ ଓ କଳାକାରମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚୁ୍ୟତ ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହାମାରୀ କରୋନାର ଯନ୍ତ୍ରଣାଦାୟକ ଅନୁଭୂତି ପରେ ନବବର୍ଷ-୨୦୨୧କୁ ସ୍ୱାଗତ ଜଣାଇଥିଲେ  । ଏହି ବର୍ଷରେ ପ୍ରତ୍ୟେକ ପରସ୍ପରକୁ ସ୍ନେହ ଓ ମମତା ବାଂଟିବା ସହିତ ଅନ୍ୟର ମୁହଁରେ ହସ ଫୁଟାଇବାକୁ ପ୍ରୟାସୀ  ହେବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ  । ‘ସଂସ୍କୃତି ଓ ସଂସ୍କୃତି’ର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଆଧ୍ୟାତ୍ମିକ ସାଧକ ସ୍ୱାମୀ ରାମନାରାୟଣ ଦାସ ମହାରାଜ ଉଦଘାଟନ କରିଥିବା ବେଳେ ମହାବୋଧି ସୋସାଇଟିର ବୌଦ୍ଧ ଭିକ୍ଷୁ ବୁଦ୍ଧଦତ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ  । ଅନୁଷ୍ଠାନର ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ  । ଏହି ଅବସରରେ ଉଦୀୟମାନ ଭାଓଲିନ୍ ବାଦକ ରାକେଶ ବିଶ୍ୱାଳଙ୍କ ଶୁଭ ଜନ୍ମତିଥିରେ କେକ୍ କଟାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଭଲ ପାଇବାର ବର୍ଷର ଉଦଘାଟନ ଉପଲକ୍ଷେ ବହୁ କଳାକାରଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା  । ସେମାନଙ୍କ ମଧ୍ୟରେ ଅବନୀକାନ୍ତ ଦାସ (ଗେନୁ), ଛନ୍ଦା ମିଶ୍ର, ଲୋଭା ବିଶ୍ୱାଳ, ଅନିନ୍ଦିତା ଦାସ, ପ୍ରତିଭା ପ୍ରଧାନ, ଇଂ. ବିଚିତ୍ରାନନ୍ଦ ଦେଓ, ପ୍ରଯୋଜକ ଶ୍ରୀଧର ମାର୍ଥା, ଅତିଶ କୁମାର ରାଉତ ଓ ସଂଳାପକାର ଡଃ ରଜନୀରଞ୍ଜନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ  ।

ଏହି ଉତ୍ସବରେ ‘କାଦମ୍ବିନୀ’ର ସମ୍ପାଦିକା ଡଃ ଇତି ସାମନ୍ତ, ମହାବୋଧି ସୋସାଇଟିର ସମ୍ପାଦକ ସୌରେନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ୍ ଡଃ ବିମଳେନ୍ଦୁ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ  । ଇଂ. ଶ୍ରୀନିବାସୀ ଘଟୁଆରୀ (ମିଲନ୍) କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର ବିଶ୍ୱାଳ ଓ ସମୀର କୁମାର ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.