କେନ୍ଦ୍ରାପଡା, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)-ଧୂଳି ଓ ଆବର୍ଜନା ଭିତରେ ଆଉ ହନ୍ତସନ୍ତ ହେବେନି ବରପୁତ୍ରଙ୍କ ପ୍ରତିମୂର୍ତି । ମାଟି କାଦୁଅରେ ଲଟପଟ ହୋଇ ବିକୃତ ଦିଶିବନି ଦେଶପ୍ରେମୀଙ୍କ ଆବକ୍ଷ ଓ ସମ୍ପୁର୍ଣ୍ଣ ପ୍ରତିମୂର୍ତି । କାରଣ ଏବେ ଆଉ ବର୍ଷରେ ଥରେ ନୁହଁ ବରଂ ପ୍ରତି ସପ୍ତାହରେ ସଫା ହେବ କେନ୍ଦ୍ରାପଡା ସହରରେ ଥିବା ମହାମାନବମାନଙ୍କ ପ୍ରତିମୂର୍ତି । ଅଗ୍ରଣୀ ସାମାଜିକ ସଂଗଠନ “ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ କେନ୍ଦ୍ରାପଡା ସହରରେ “ବରପୁତ୍ର ବନ୍ଦନ” ନାମକ ଏକ ନିଆରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଅନୁଷ୍ଠାନର ସଦସ୍ୟମାନେ ପ୍ରତି ସପ୍ତାହରେ ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତିକୁ ପରିଷ୍କାର ପରିଚ୍ଛନ୍ନ କରିବେ ବୋଲି ସଦସ୍ୟ ମାତୃଦ ମହାନ୍ତି ସୂଚନା ଦେଇଛନ୍ତି । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ କରାଯାଇଛି । ଅନୁଷ୍ଠାନର ସଦସ୍ୟମାନେ ପୁରୁଣା ବସଷ୍ଟାଣ୍ଡରେ ସକାଳେ ପହଂଚି ପ୍ରଥମେ ଦେଶ ବନ୍ଦନା ଗାନ କରିଥିଲେ । ପରେପରେ ତିଲକ ଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପୁରୁଣା ବସଷ୍ଟାଣ୍ଡରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଡକ୍ଟର ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତିକୁ ପାଣି ମାରି, କପଡା ଘସି ସମ୍ପୁର୍ଣ୍ଣ ପରିଷ୍କାର କରିଥିଲେ । କେବଳ ଯେ ମୂର୍ତିର୍ି ଗୁଡିକ ସଫାସୁତୁରା କରାଯାଇଥିଲା ତାହା ନୁହେଁ ବରଂ ମୁର୍ତି ଚର୍ତୁପାଶ୍ୱରେ ଥିବା ଅଳିଆ ଆବର୍ଜନାକୁ ମଧ୍ୟ ସଫା କରାଯାଇଥିଲା । ତେବେ ସହରର ତିନିମୂହାଣୀ, ବାଇପାସ ରୋଡ, ଗରାପୁର ଚ୍ଛକ, ତୁଳସୀ ମହିଳା କଲେଜ, ମେଡିକାଲ ଛକ, ତହସିଲ ଅଫିସ ଛକ ପ୍ରଭୃତି ଅଂଚଳରେ ଥିବା ପ୍ରତିମୂର୍ତିର୍ି ଗୁଡିକୁ ମଧ୍ୟ ସଫା କରାଯିବ । ଏହା ସହିତ ମହାପୁରୁଷଙ୍କ ମୂର୍ତୀ ସ୍ଥାପନ ହୋଇଥିବା ସ୍ଥାନରେ ଅଳିଆ ଆବର୍ଜନା, ପାନ ପିକ ଓ ଅଇଁଠା ପତ୍ର ଇତ୍ୟାଦି ନ ପକାଇବା ପାଇଁ ମଧ୍ୟ ଜନସଚେତନତା ସୃଷ୍ଟି କରିବା ଅନୁଷ୍ଠାନର ଲକ୍ଷ୍ୟ । ଅନୁଷ୍ଠାନର ସଦସ୍ୟ ପଙ୍କଜ ସିହ୍ନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରଶ୍ମି ରଞ୍ଜନ ସ୍ୱାଇଁ, ବିକାଶ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର