ପୁରୀ, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଆରମ୍ଭ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି । ରଥକାଠ ଗଛକଟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଜଣିଆ ପ୍ରତିନିଧି ଦଳ ନୟାଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରତିନିଧି ଦଳ ସେଠାରେ ରଥକାଠ ପାଇଁ ଗଛ ଚିହ୍ନଟ କରିବେ । ଏହାପରେ ଗଛକାଟିବା ପାଇଁ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ରଥକାଠ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ରଥ ତତ୍ୱାବଧାରକ, ରଥ ଅମିନ ଓ ଭୋଇ ସର୍ଦାର ପ୍ରମୁଖ ଶ୍ରୀମନ୍ଦିର ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ରଥକାଠ ଗଛ ଚିହ୍ନଟ ହେବା ପରେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ, ଖଣ୍ଡୁଆ, ଧପୂ, ଦୀପ, ନଡ଼ିଆ ପ୍ରଭୃତି ନୀତିକାନ୍ତି ଜିନିଷ ପ୍ରତିନିଧି ଦଳ ନିଜ ସାଥିରେ ନେଇଛନ୍ତି । ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚିହ୍ନଟ ହୋଇ ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ । ଏହାପରେ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ ହୋଇଥାଏ । ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଯିବ । ଓଡ଼ିଶା ସମାଚାର