ଚାହିଁ ବସିଛନ୍ତି ମା’ଙ୍କ ଶ୍ରଦ୍ଧାଳୁ ଭକ୍ତ
ମହାକାଳପଡ଼ା ,୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟର ବିଭିନ୍ନ ମନ୍ଦିର ପ୍ରଭୃତି ଖୋଲି ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଦରିଆପାରି ମା’ ରାମଚଣ୍ଡୀଙ୍କ ମନ୍ଦିର କେବେ ଖୋଲିବ ଯାହାକୁ ନେଇ ଦିନକୁ ଦିନ ମା’ଙ୍କ ଭକ୍ତଙ୍କ ମନରେ ଉତ୍ସୁକତା ଲାଗିରହିଛି । କରୋନା କଟକଣା ପାଇଁ ମନ୍ଦିରରେ ଏବେ ପୂଜା ହେଉଛି କିନ୍ତୁ ମା’ଙ୍କୁ ଦର୍ଶନ କରିବା ଉପରେ କଟକଣା ଲାଗୁ ହୋଇଛି । ଯାହା ପାଇଁ କେବଳଯେ ସେବାୟତମାନେ ଅସୁବିଧାରେ ପଡ଼ୁଛନ୍ତି ସେକଥାନୁହେଁ ପ୍ରାୟ ୯ ମାସ ହେବ ମା’ଙ୍କୁ ଦର୍ଶନ କରିନପାରି ବହୁ ଭକ୍ତ ଏବେ ଘରେ ବସି ଗୁମୁରିଗୁମୁରି ଆଖିରୁ ଲୁହ ଗଡ଼ାଇବା ସାର ହେଉଛି । ମା’ ରାମଚଣ୍ଡୀଙ୍କୁ କେବଳ ଆଖପାଖ ଲୋକେ ଦର୍ଶନ କରିବାକୁ ଆସନ୍ତି ସେକଥା ନୁହେଁ ସମୁଦ୍ରତଟଦେଶରେ ଗଢ଼ିଉଠିଥିବା ଗାଁ ଗୁଡ଼ିକର ବିଭାଘର, ନୂଆଘର ପ୍ରତିଷ୍ଠା, ନୂଆ ବ୍ୟବସାୟ ଆରମ୍ଭ ଇତ୍ୟାଦି ଯାହାକିଛି ଆରମ୍ଭ କଲେ ପ୍ରଥମେ ମା’ଙ୍କ ନିକଟରେ ଭୋଗ କରାଯାଏ, ତାପରେ ଯାହାକିଛି କରାଯାଇଥାଏ । ସମୁଦ୍ରକୁ ମତ୍ସ୍ୟଜୀବୀ ଡଙ୍ଗାନେଇଗଲେ ଆଗେ ମା’ଙ୍କ ନିକଟରେ ଭୋଗ କରିଥାଏ । ଏ ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । ଅପରପକ୍ଷେ ମା’ଙ୍କ ମନ୍ଦିରରେ ବିବାହ ଋତୁରେ ଶହଶହ ବାହାଘର ହୋଇଥାଏ । ଆର୍ଥିକ ସ୍ୱଚ୍ଛଳ ନଥିବା ଲୋକମାନେ ଖୁବ୍ କମ୍ ଖର୍ଚ୍ଚରେ ସେମାନଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ତାହା ମଧ୍ୟ ଏବେ ବନ୍ଦ ରହିଛି । ଯାହା ପାଇଁ ମନ୍ଦିରର ରାଜସ୍ୱ ଆୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । କିଏ ଜଙ୍ଗଲକୁ ଗଲେ ମା’ଙ୍କ ମନ୍ଦିରରେ ମୁଣ୍ଡିଆଟିଏ ମାରି ଯାଇଥାଏ । ନୂଆଗାଡ଼ି କିଣିଲେ ମଧ୍ୟ ମା’ଙ୍କ ମନ୍ଦିର ବେଢ଼ାରେ ପୂଜା ସାରିବା ପରେ ଗାଡ଼ି ମାଲିକ ଗାଡ଼ି ବ୍ୟବହାର କରିଥାଏ । ଏସବୁ ପରମ୍ପରା କରୋନା କଟକଣା ପାଇଁ ଏବେ ଅଟକି ଯାଇଛି । ମା’ଙ୍କର ଆଶିର୍ବାଦ ଟିକିଏ ପାଇବା ପାଇଁ ମହାକାଳପଡ଼ା ଅଂଚଳର ଭକ୍ତମାନେ ଛଟପଟ ହେଉଛନ୍ତି । ରାମନଗର ଖରିନାସୀ ବତୀଘର, ଜମ୍ବୁ, ବଉଳକଣୀ, ପେଟଛେଲା ପ୍ରଭୃତି ବଙ୍ଗଭାଷାଭାଷୀ ଅଂଚଳର ଲୋକମାନଙ୍କର ମା’ଙ୍କ ପ୍ରତି ଯେତିକି ଭକ୍ତିଥାଏ ମହାକାଳପଡ଼ା, ମଙ୍ଗଳପୁର, ଦେଉଳପଡ଼ା, ବାରଡାଙ୍ଗ ପ୍ରଭୃତି ପଂଚାୟତର ଶହଶହ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବାରୁ ବଂଚିତ ହେଉଛନ୍ତି । ତେଣୁ ତୁରନ୍ତ ମନ୍ଦିର ଖୋଲିବାକୁ ମା’ଙ୍କ ଭକ୍ତ ମହଲରୁ ଦାବି ହେଉଛି । ଓଡ଼ିଶା ସମାଚାର