ତିନି ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କାଳିଆପାଣି ପୋଲିସ
ଭୁବନ ୧୦/୦୧/୨୦୨୧ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ପଂଚାୟତର ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ଶୀକାରୀ ଗୁଳିର ଶୀକାର ହୋଇଥିବା ଘଟଣାର ପର୍ଦ୍ଧାଫାସ କରିଛି ଯାଜପୁର ଜିଲ୍ଲା କାଳିଆପାଣି ପୋଲିସ । ଗୁଳିକାଣ୍ଡସ୍ଥଳରୁ ଗତକାଲି କାଳିଆପାଣି ପୋଲିସ ୩ ଟି ସାଇକେଲରେ ବନ୍ଧା ହୋଇଥିବା ୩ ସିଫ୍ଟ କାଠ ଜବତ କରିଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତକୁ ଟାଟା ମାଇନିଂ ହାଟରୁ ଗିରଫ କରିଥିବା ଜଣାପଡିଛି ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ,କାଳିଆପାଣି ଥାନା ଅନ୍ତର୍ଗତ ହୁଡିସାହି ପାଟଣା ଗ୍ରାମର ଦୁର୍ଗା ଗୁନ୍ଦୁଆ ଙ୍କ ପୁଅ ଜୟରାମ ଗୁନ୍ଦୁଆ (୩୭) ଘଟଣା ଘଟିବା ପରଠାରୁ ସେ ତାଙ୍କ ଘରେ ନଥିବାରୁ ପୋଲିସର ସନ୍ଦେହ ଦୃଢୀଭୂତ ହୋଇଥରଲା । ଆଜି ଟାଟା ମାଇନିଂ ହାଟକୁ ହାଣ୍ଡିଆ ପିଇବାକୁ ଆସିଥିବା ବେଳେ କାଳିଆପାଣି ଥାନା ଆଇଆଇସି ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଧେଶରେ ତଦନ୍ତକାରୀ ଅଫିସର ବିଭୂତି ଭୂଷଣ ମହାପାତ୍ର ସଦଳବଳେ ତାଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚରା କରିବାରୁ ସେ ଗୁଳିକାଣ୍ଡ କରିଥିବା ମାନିଯାଇଥିଲା ଏବଂ ଜଙ୍ଗଲକୁ ଯାଇ ଲୁଚାଇଥିବା କାଠରେ ନିର୍ମିତ ହାତ ତିଆରି ଦେଶୀବନ୍ଧୁକ ମଧ୍ୟ ଦେଇଥିଲା । ଅଭିଯୁକ୍ତ ଜୟରାମ ବାରହା ଶୀକାର ପାଇଁ ଜଙ୍ଗଲରେ ଛକି ରହିଥିବା ବେଳେ ଖସଖସ ଶବ୍ଦ ଶୁଭିବାରୁ ପ୍ରଥମେ ଟର୍ଚ୍ଚ ଲାଇଟ ପକାଇଥିଲା । କାଠ ଆଣିବାକୁ ଯାଇଥିବା ଲୋକମାନେ ନୀରବ ରହିବାରୁ ସେ ବାରହା ଭାବି ଗୁଳି କରିଥିଲା ବୋଲି କହିଥିଲା । ଭୁବନ ବ୍ଲକ କୁନିନ୍ଦା ଗ୍ରାମର ଭାଗବତ ବେହେରା ଙ୍କ ପୁଅ ଗୋବିନ୍ଦ ବେହେରା ତାଙ୍କର ୨ ଜଣ ସାଥୀଙ୍କ ସହିତ ଗତ ଗୁରୁବାର ରାତି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ନଳିପାହାଡ ଉପରେ ଥିବା ହୁଡିସାହି (ପାଟଣା) ଦଲକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୁଳିକାଣ୍ଡର ଶୀକାର ହୋଇ ମୃତ୍ୟୁବରଣ କରିଥିଲେ । ଏ ସଂପର୍କରେ କାଳିଆପାଣି ଥାନାରେ କେଶ ନଂ-୦୩ /୨୦୨୧ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କାଳିଆପାଣି ଥାନା ପୋଲିସ ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର