ଭୁବନେଶ୍ୱର, ୧୦/୦୧/୨୦୨୧ (ଓଡ଼ିଶା ସମାଚାର)-ଅରମାନ ମୁ୍ୟଜିକ ଦ୍ୱାରା ପ୍ରସ୍ତୁତ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଧେଶନାରେ ଦ୍ୱିତୀୟ ଥର ପାଇଁ ଗୀତ ଗାଇବା ସହିତ ଅଭିନୟ କରିଛନ୍ତି ଜଟଣୀର ଲୋକପ୍ରିୟ ବିଧାୟକ ସୁରେଶ ରାଉତରାୟ । ବର୍ତମାନ ସାରା ଓଡ଼ିଶାରେ ନିଶାର ବ୍ୟବହାର ବ୍ୟାପକ ଭାବରେ ବୃଦ୍ଧି ପାଇଥିବା ବେଳେ ଯୁବସମାଜ ମାରାତ୍ମକ ନିଶା ସେବନରେ ଜଡ଼ିତ ରହୁଛନ୍ତି । ବିଶେଷକରି ଛାତ୍ରସମାଜ ନିଶା ସେବନରେ ଜଡ଼ିତ ରହିବା ଫଳରେ ସେମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି । ତେଣୁ ଛାତ୍ର ଓ ଯୁବସମାଜ କିପରି ନିଶା ସେବନରୁ ଦୂରେଇ ରହିବେ ସେଥିପାଇଁ ଏହି ଗୀତ ମାଧ୍ୟମରେ ସୁରଭାଇ ଗୀତ ଗାଇବା ସହିତ ଅଭିନୟ କରିଛନ୍ତି । ଗୀତଟି ଲେଖିଛନ୍ତି ତପୁ ନାୟକ ।
ପ୍ରଯୋଜନାରେ ଅଛନ୍ତି ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକ । ସୁରଭାଇଙ୍କ ଅଭିନୀତ ଏହି ଗୀତଟି ବରୁଣେଇ ଓ ଖୋର୍ଦ୍ଧାର ଜାନକୀ ବଲ୍ଲଭ ପାର୍କରେ ସୁଟିଂ କରାଯାଇଛି । ଗୀତଟି ଯୁବସମାଜ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ନିର୍ଦ୍ଧେଶକ ଦେବଜ୍ୟୋତି ପାତ୍ର ଆଶା ରଖିଥିବା ବେଳେ ଏହା ଆଗାମୀ ଦିନରେ ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର