ପୁରୀ, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ପାର୍ଟ ଟାଇମ୍ କଳା ଓ କ୍ରୀଡ଼ା ଶିକ୍ଷକମାନେ ଏଭଳି କୋଭିଡ୍ ପରିସ୍ଥିତିରେ ୮ମାସ ଧରି ପାରିଶ୍ରମିକ ନମିଳିବା ଦାବିରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ କଳା ଓ କ୍ରୀଡ଼ା ଶିକ୍ଷକମାନେ ପୁରୀ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।ଧାରଣାରେ ସଭାପତିତ୍ୱ କରି ଜଗନ୍ନାଥ ମିଶ୍ର ସମସ୍ତ ବିଦ୍ୟାଳୟମାନଙ୍କରେ ଶିକ୍ଷକ, ଶିକ୍ଷୟିତ୍ରୀ, ପାଚିକାମାନେ ଠିକ୍ ସମୟରେ ବେତନ ପାଉଥିବା ବେଳେ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ କାହିଁକି ହତାଦର କରାଯାଉଛି ସରକାରଙ୍କୁ ପ୍ରଶ୍ନ କରିଥିଲେ । ମାତ୍ର ୫୪୫୨ ଟଙ୍କା ମାସିକ ପାରିଶ୍ରମିକରେ କଳା ଓ କ୍ରୀଡ଼ା ଶିକ୍ଷକମାନେ ଏବଂ ସେମାନଙ୍କ ପରିବାର ପ୍ରତିପୋଷଣ ହେବା ସମ୍ଭବ ନୁହେଁ । ତନ୍ମଧ୍ୟରେ ପୁଣି ପ୍ରାୟ ଏକବର୍ଷ ହେବ କଳାକାର ଓ କ୍ରୀଡ଼ାବିତ୍ଙ୍କ ଅବସ୍ଥା ସଙ୍କଟାପନ୍ନ । ତା’ ଭିତରେ ୮ମାସର ବେତନ ନ ମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । କଳା ଓ କ୍ରୀଡ଼ା ଶିକ୍ଷକମାନେ ଆଜି ପୁରୀ ଟାଉନହଲ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ସମ୍ମାନନୀୟ ଜିଲ୍ଲାପାଳ, ପୁରୀଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ବେତନ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ । ଜିଲ୍ଲାପାଳ ମହୋଦୟ ପ୍ରକଳ୍ପ ସଂଯୋଜକ ସର୍ବଶିକ୍ଷା ଅଭିଯାନଙ୍କୁ ଯଥାଶୀଘ୍ର କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦାବିକୁ ଉପଯୁକ୍ତ ଦର୍ଶାଇ ପୁରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମଧ୍ୟ ରାଜ୍ୟ ପ୍ରକଳ୍ପ ନିର୍ଦ୍ଧେଶକ ଓସେପା ଙ୍କ ସହ କଥା ହୋଇ ଆସନ୍ତା ସପ୍ତାହ ମଧ୍ୟରେ ୮ମାସର ବେତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେବାପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ସମ୍ମାନନୀୟ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆଜିର ପ୍ରତିବାଦ ଧାରଣାକୁ ସ୍ଥଗିତ ରଖାଯାଇଥିଲା । କଳା ଓ କ୍ରୀଡ଼ା ଶିକ୍ଷକମାନେ ଯଦି ଆସନ୍ତା ସପ୍ତାହ ମଧ୍ୟରେ ତାଙ୍କ ପ୍ରାପ୍ୟ ନପା’ନ୍ତି ତେବେ ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ ହେବ ବୋଲି ମତ ପ୍ରକାଶ କରିଥିଲେ । ଧାରଣାରେ ଦୁର୍ଗାପ୍ରସାଦ ଦାଶ, କାର୍ତିକ କୁମାର ବିଶ୍ୱାଳ, ରବିନ୍ଦ୍ର କୁମାର ପ୍ରଧାନ, ଏଲିନ୍ ପଟ୍ଟନାୟକ, କୁନି ସାହୁ, ସୁବ୍ରତ କୁମାର ଦାଶ, ଚିତ୍ରସେନ ମଲ୍ଲିକ, ଦିଗେଦ୍ ମାଝି, ଲକ୍ଷ୍ମୀପି୍ରୟା ସେଠୀ, ମୋନାଲିସା ରାଉତ, ସଂଗୀତା ଦାସ, ମଙ୍ଗରାଜ ରାଉତ ସଭାକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ରାଜ୍ୟ କମିଟି ତରଫରୁ ଆବାହକ ପ୍ରଦୀପ କୁମାର ଦାସ, ବିଜୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରି ଧାରଣାକୁ ସ୍ଥଗିତ ରଖିଥିଲେ । ଓଡ଼ିଶା ସମାଚାର