ପାରାଦ୍ୱୀପ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ଓଡିଶାର ବିଭିନ୍ନ ସ୍ଥାନରେ ସୁନା ଚୋରମାନେ ଏବେ ସକ୍ରିୟ ହେବାର ଦେଖିବାକୁ ମିଳୁଛି । ସେମାନେ ବିଭିନ୍ନ ସୁନା ଦୋକାନରେ ଗ୍ରାହକ ଭାବରେ ପହଂଚି ଅଭିନବ ଉପାୟରେ ଚୋର ଗ୍ରାହାକ ସୁନା ଦୋକାନୀଙ୍କୁ ସୁନା ଦେଖିବା ବାହାନାରେ ତାଙ୍କୁ ବ୍ୟସ୍ତ କରାଇ ସୁନା ଗାଏବ କରୁଥିବା ଘଟଣା ପୋଲିସ୍ ନଜରକୁ ଆସିଛି । ଗତ ଗୁରୁବାର ଦିନ ମଧ୍ୟାହ୍ନରେ ପାରାଦ୍ୱୀପ ନିକଟବର୍ତୀ ଏରସମାର ଏକ ସୁନା ଦୋକାନରେ ଏପରି ଏକ ସୁନା ଚୋରୀ ଘଟଣା ଘଟିଯାଇଛି । ଏହି ଯୁବ ସୁନା ଚୋରମାନେ ଗଞ୍ଜାମ ଓ ଆନ୍ଧ୍ରର ଏରାଗୋଲା ସଂପ୍ରଦାୟର ବୋଲି ପୋଲିସ ସନ୍ଦେହ କରି ତାର ତଦନ୍ତକୁ ଜୋରଦାର କରିଛି । ଏହି ଘଟଣାକୁ ନେଇ ପାରାଦ୍ୱୀପ ପୋଲିସ ଏବେ ସକ୍ରିୟ ହୋଇଉଠିଛି । ପାରାଦ୍ୱୀପ ପରି ବନ୍ଦର ଓ ଶିଳ୍ପ ବହୁଳ ସହରରେ ବହୁ ସୁନା ଦୋକାନ ରହିଥିବା ବେଳେ ସେମାନଙ୍କୁ ସଚ୍ଚେତନ କରାଇବା ଉଦ୍ଧେଶ୍ୟରେ ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଦୋକାନୀମାନେ କିପରି ସତର୍କ ରହିବେ, ଗ୍ରାହକ ମାନଙ୍କୁ ହେଲମେଟ୍ ବାହାରେ ରଖି ଦୋକାନକୁ ପ୍ରବେଶ କରାଇବା ଏବଂ ସନ୍ଦେହ ହେଲେ ତୁରନ୍ତ ଥାନାକୁ ଫୋନ କରାଇ ଜଣାଇବା ଇତ୍ୟାଦି ଥାନା ପକ୍ଷରୁ ସଚ୍ଚେତନ କରାଯାଉଥିବା ଥାନା ଅଧିକାରୀ ରଜନୀକାନ୍ତ ସାମଲଙ୍କ ଠାରୁ ପ୍ରକାଶ । ଓଡ଼ିଶା ସମାଚାର
