ଭୁବନ ୦୮/୦୧/୨୦୨୧ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଂଚାୟତର ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ଶୀକାରୀ ଗୁଳିର ଶୀକାର ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଭୁବନ ବ୍ଲକ କୁନିନ୍ଦା ଗ୍ରାମର ଭାଗବତ ବେହେରା ଙ୍କ ପୁଅ ଗୋବିନ୍ଦ ବେହେରା ତାଙ୍କର ତିନିଜଣ ସାଥୀଙ୍କ ସହିତ ଗତକାଲି ରାତି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଖୁଣ୍ଟାପଶି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ପୂର୍ବରୁ ବାରାହା ଶୀକାର ନିମନ୍ତେ ଜଗି ବସିଥିବା ଜନୈକ ଶୀକାରୀର ବନ୍ଧୁକ ଗୁଳି ବାଜିଥିଲା ଗୋବିନ୍ଦଙ୍କ ପେଟରେ । ତେବେ ଶୀକାରୀର କୈଣସି ପତା ମିଳିନଥିବା ବେଳେ ୨ ଜଣ ସାଥୀ ଗୋବିନ୍ଦ ଙ୍କୁ ପ୍ରାୟ ୧୦ କିମି ବାଟ କାନ୍ଧରେ ବୋହି ନିଜଗ୍ରାମରେ ପହଁଚିବା ପରେ ସେଠାରୁ ଭୁବନ ଡାକ୍ତରଖାନାକୁ ଆଣିଥିଲେ । ପେଟରେ ଗୁଳିବାଜିଥିବା କାରଣରୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଭୁବନ ପୋଲିସ ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିଥିଲେ । ଭୁବନ ଥାନା ଆଇଆଇସି ଜିତେନ୍ଦ୍ର କୁମାର ସାହୁ ,ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ ମୃତ ଗୋବିନ୍ଦଙ୍କ ଘରକୁ ଯାଇ ତଦନ୍ତ କରିଥିଲେ । ଏ ସଂପର୍କରେ କାଳିଆପାଣି ଥାନାରେ କେଶ ନଂ-୦୩ /୨୦୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଓଡ଼ିଶା ସମାଚାର