ଗରଦପୁର ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ଦୀର୍ଘ ୯ ମାସ ପରେ ଆଜି ଠାରୁ ରାଜ୍ୟର ସ୍କୁଲ ମାନଙ୍କରେ ପାଠପଢ଼ା ଆରମ୍ଭ ହୋଇଛି । କୋଭିଡ଼ ଆଇନ ର କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯାଇ ପାଟକୁରା ଅଂଚଳର ୧୦ମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଠପଢ଼ା ସକାଳ ୧୦ ଟା ଠାରୁ ଆରମ୍ଭ କରାଯାଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ହୋଇଛି । ଚଳିତ ଶିକ୍ଷା ବର୍ଷରେ ୧୦୦ ଦିନ ପାଠ ପଢ଼ା ସମ୍ପୂର୍ଣ୍ଣ କରାଯିବା ପାଇଁ ରବିବାର ମଧ୍ୟ ସ୍କୁଲ ଖୋଲା ରହି ପାଠପଢ଼ାଯିବ ବୋଲି ଶିକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି । ଛାତ୍ର ଛାତ୍ରୀମାନଙ୍କ ବସି ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହ ଗୁଡ଼ିକ ସାନିଟାଇଜ କରାଯିବା ପରେ ପ୍ରତି ପିଲାମାନେ ୫ ଫୁଟ ଦୂରତାରେ ମୁହଁରେ ମାସ୍କ ପିନ୍ଧି ବସିବାର ବ୍ୟବସ୍ଥା ରହିଛି ।ଏହି ପରିପ୍ରେକ୍ଷୀରେ ଗରଦପୁର ବ୍ଲକ୍ ର ମୋଟ ୨୯ ଗୋଟି ହାଇସ୍କୁଲ ରହିଛି । ଏହି ହାଇସ୍କୁଲ ଗୁଡ଼ିକର ମୋଟ୍ ୧୦୯୮ ଜଣ ୧୦ ମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୦୯ ଜଣ ଛାତ୍ର ଛାତ୍ରୀ ଆଜି ନିଜ ନିଜ ବିଦ୍ୟାଳୟକୁ ଯାଇ ପାଠପଢ଼ାର ଶୁଭାରମ୍ଭ କରିଛନ୍ତି । ଯାହାକି ଆଜିର ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ୬୪.୫୭ ପ୍ରତିଶତ ବୋଲି ନୋଡ଼ାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ସୂଚନା ଦେଇଛନ୍ତି । ପାଟକୁରା ହାଇସ୍କୁଲ ରେ ୧୦ ମ ଶ୍ରେଣୀରେ ପଢ଼ୁଥିବା ମୋଟ ୭୨ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଆଜି ୫୦ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସି ପାଠ ପଢ଼ିଛନ୍ତି ବୋଲି ପାଟକୁରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପାଣି ପ୍ରକାଶ କରିଛନ୍ତି । ସେହିପରି କୋରୁଆ, ନଇନ୍ଦିପୁର, ତେଣ୍ଡାକୁଡ଼ା, ରାଏସର ଖରିସାଣ ହାଇସ୍କୁ ରେ ମଧ୍ୟ ପାଠ ପଢ଼ା ଆରମ୍ଭ ହୋଇଛି । ଆଜି ପିଲାମାନେ ଦୀର୍ଘ ୯ ମାସ ପରେ ସ୍କୁଲ ଆସିଥିବାରୁ ବେଶ୍ ଖୁସି ଥିବା ଦେଖାଯାଇଥିଲା । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଆଜି ବେଶ ତପôର ଥିଲେ । ପାଟକୁରା ଠାରେ ଥିବା ଗରଦପୁର ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ପ୍ରକାଶ କରିଛନ୍ତି ଯେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ଆସି ପାଠ ପଢ଼ିବା ଓ ବିଦ୍ୟାଳୟ ର ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ବ୍ଲକ୍ ସ୍ତରରେ ଶିକ୍ଷାବିଭାଗର ପ୍ରମୁଖ ଅଧିକାରୀମାନଙ୍କୁ ନେଇ ୨ ଗୋଟି କମିଟି ଗଠନ କରାଯାଇଛି । ଗୋଟିଏ କମିଟିରେ ପାଟକୁରା ହାଇସ୍କୁଲ ର ନୋଡ଼ାଲ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି , ସିଆରସିସି ଗଙ୍ଗାଧର ଦଳେଇ, ଅପର ପ୍ରାଇମେରୀର ରଜନୀକାନ୍ତ ରାୟ ଓ ଶିକ୍ଷକ ରମାକାନ୍ତ ସାମଲଙ୍କୁ ନେଇ ୪ ଜଣିଆ କମିଟି ଗଠନ କରାଯାଇଥିବାବେଳେ ଶିକ୍ଷକ ରଂଜନ କୁମାର ମହାନ୍ତି,ଗୌରାଙ୍ଗ ଚରଣ ରଥ ଓ ନିଗମାନନ୍ଦ ରାଉତ ଙ୍କୁ ନେଇ ଅନ୍ୟ ଏକ ୩ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ଦ୍ୱୟ ବ୍ଲକ୍ ଅଂଚଳର ବିଭିନ୍ନ ବିଦ୍ୟାଳୟ କୁ ଗସ୍ତ କରି ସାନିଟାଇଜେସନ୍, ଛାତ୍ର ଛାତ୍ରୀଙ୍କ ମୁହଁରେ ମାସ୍କ ପିନ୍ଧିବା ଓ ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ଼ କଟକଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପାଟକୁରା ହାଇସ୍କୁଲ ର ଛାତ୍ର ଛାତ୍ରୀମାନେ ଶ୍ରେଣୀ ଗୃହରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହାତକୁ ସାନିଟାଇଜ କରିବା ଓ ସେମାନଙ୍କୁ ମାସ୍କ ବଂଟନ କରାଯାଇଥିବା ସମ୍ପର୍କରେ ଶ୍ରୀ ପାଣି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ସେଠୀ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନଙ୍କ କୋଭିଡ଼ ନୀୟମ ପାଳନ କରିବା ଦେଖି ସନ୍ତୋଷ ହୋଇଥିବା କହିଛନ୍ତି । ଓଡ଼ିଶା ସମାଚାର