ଭୁବନେଶ୍ୱର, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)-ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଏକ ୩ ଦିନିଆ ଯୁବ ରେଡକ୍ରସ୍ ର ଅଣତାଲିମପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଅଣତାଲିମ ପ୍ରାପ୍ତ ଯୁବ ରେଡ଼କ୍ରସର ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ । ଯୁବ ରେଡକ୍ରସ୍ ର ପରାମର୍ଶଦାତାମାନଙ୍କୁ ଯୁବ ରେଡକ୍ରସ୍ ର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ବିଷୟରେ ପରିଚିତ କରାଇ ସେମାନଙ୍କ ଦ୍ୱାରା ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେବା ଏବଂ ସାମାଜିକ କର୍ତବ୍ୟ ଓ ଦାୟିତ୍ୱବୋଧ ବିଷୟରେ ଅବଗତ କରାଇବା ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଭାବରେ ଗ୍ରହଣ କରାଯାଇଥିଲା ।
ଆଜିର ଏହି ଉଦଯାପନୀ ଉତ୍ସବରେ ଶ୍ରେଷ୍ଠ ପ୍ରେରଣାଦାତା ମଧୁସୁଦନ ଦାସ୍, ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଯୁବ ରେଡକ୍ରସ ପରାମର୍ଶଦାତା ମାନଙ୍କୁ ଦୃଢ ଇଛାଶକ୍ତି ଓ ମନୋବଳ ଦେଇ ରେଡକ୍ରସକୁ ସର୍ବଶ୍ରେଷ୍ଠ ଭାବେ ଆଗେଇ ନେବାରେ ସହାୟକ ହେବା ନିମନ୍ତେ ଉପଦେଶ ମାଧ୍ୟମରେ ବୁଝାଇଥିଲେ ।
ଅନ୍ୟତମ ଅତିଥି ଭାବେ ଭାରତୀୟ ରେଡକ୍ରସ୍ ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖାର ଉପ ସଭାପତି, ଡ. ସତ୍ୟ ନାରାୟଣ ହୋତା ଯୋଗ ଦେଇ ସାମାଜିକ ଜୀବନରେ ସ୍ୱେଚ୍ଛାସେବୀମାନଙ୍କ ଭୁମିକା ସଂପର୍କରେ ଆଲୋକପାତ କରିଥିଲେ ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ୍ ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ ର ଚିହ୍ନ ଏବଂ ଏହାର ବ୍ୟବହାର, ବିପର୍ଯ୍ୟୟ ପରିଚାଳନାରେ ଓ ମନୋସ୍ତାତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷା, ସ୍ୱେଚ୍ଛାକୃତ ସେବା ଆଦି ବିଷୟରେ ବିଭିନ୍ନ ଦକ୍ଷ ବ୍ୟକ୍ତିମାନେ ଆସି ପ୍ରଶିକ୍ଷଣ ଦିଆଯାଇଥିଲା ।
କନିଷ୍ଠ ରେଡକ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଯୁବ ରେଡକ୍ରସ ର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଭାପତିତ୍ୱ ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଯୁବ ରେଡକ୍ରସ ଦ୍ୱାରା ଗୃହିତ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହ ଜିଲ୍ଲା ସ୍ତରରେ ଯୁବ ରେଡକ୍ରସକୁ କ୍ରିୟାଶୀଳ କରିବା ନିମନ୍ତେ ଆହ୍ମାନ ଦେଇଥିଲେ । ରାଜ୍ୟ ସଂଯୋଜକ ଶ୍ରୀ ଗୋପାଳ କୃଷ୍ନ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଶେଷରେ ଡ. ସୁଶୀଲ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର