ଭୁବନେଶ୍ୱର, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଚାକିରୀ ଜନିତ ଏକାଧିକ ସମସ୍ୟାକୁ ନେଇ ଓଡ଼ିଶା ନର୍ସିଂ ଏମ୍ପ୍ଲୋଇଜ ଆସୋସିଏସନ ପକ୍ଷରୁ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହିତ ଆସୋସିଏସନର ହୋଇଥିବା ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନାଭିତିରେ ଏଭଳି ନିଷ୍ପତି ନିଆଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି ଜଣାଇଛନ୍ତି ।
ଶ୍ରୀମତୀ ମହାନ୍ତି ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ନର୍ସିଂ ଅଧିକାରୀମାନେ କରୋନାଠାରୁ ଆରମ୍ଭ କରି ବନ୍ୟା, ବାତ୍ୟା ଆଦି ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ସୁଶ୍ରୁଷା କରିଥାନ୍ତି । ହେଲେ, ସେମାନଙ୍କ ସମସ୍ୟା ସରକାର ବୁଝନ୍ତି ନାହିଁ । ମୂଳ ଦରମାର ସଂଶୋଧନ ଠାରୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ ୧୦ ବର୍ଷର ‘ଏମ୍ଏସିପି’ ପ୍ରଦାନ, ନର୍ସିଂ ସ୍କିମ୍ ରେ ଚାକିରୀ କରୁଥିବା ‘ଆରବିଏସକେ’ ଷ୍ଟାଫ ନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ ଓ ଓପିଏସ୍ସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଠିକାଦାର ଭାବେ ନିଯୁକ୍ତି ପାଉଥିବା ନର୍ସସାମନଙ୍କୁ ଏଣିକି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ନେଇ ଏହି ଆନ୍ଦୋଳନ ବିଭିନ୍ନ ପର୍ଯ୍ୟାୟରେ ଗତ ୨୭ ତାରିଖରୁ ଚାଲିଥିଲା । ତେବେ, ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନକ୍ରମେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ନର୍ସିଂ ଅଧିକାରୀମାନଙ୍କ ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଦାବିଗୁଡ଼ିକର ଯଥାର୍ଥତା ରହିଥିବା ଅଧିକାରୀମାନେ ସହୃଦୟତାର ସହ ଅନୁଭବ କରିଥିଲେ । ତେଣୁ ଖୁବ୍ ଶୀଘ୍ର ଏହି ଦାବିଗୁଡ଼ିକୁ ପୂରଣ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ସେ ଆସୋସିଏସନର କର୍ମକର୍ତାମାନଙ୍କୁ କହିଥିଲେ । ଏହି ଆଲୋଚନା ସମୟରେ ଆସୋସିଏସନର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, ସଭାପତି ପ୍ରତିମା ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ଜେନା, ମାଳତି ତ୍ରପାଠୀ ଓ ଅଶ୍ୱିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ ଆସୋସିଏସନ ପକ୍ଷରୁ ନିଷ୍ପତି ନିଆଯାଇଛି । ତେଣୁ ସାରା ରାଜ୍ୟରୁ ନର୍ସିଂ ଅଧିକାରୀମାନେ ଯେଉଁ ଆନ୍ଦୋଳନ ଚଳାଇ ରଖିଥିଲେ ତାହାକୁ ଆମେ ସ୍ଥଗିତ ରଖୁଛୁ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ସଚିବ, ୫-ଟି ସଚିବ ଓ ସ୍ୱାସ୍ଥ୍ୟ ନିର୍ଦ୍ଧେଶକଙ୍କୁ ଆସୋସିଏସନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ବୋଲି ଶ୍ରୀମତୀ ମହାନ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର