ପାରାଦୀପ ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଉପକଣ୍ଠରେ ଥିବା ଏସାର ଷ୍ଟିଲ କମ୍ପାନୀକୁ ୨୦୧୯ ମସିହାରେ ନେଇଥିବା ଆର୍ସେଲର ମିତଲ ଏହି କାରଖାନା କ୍ଷମତା ବୃଦ୍ଧି ଓ ସହର ବିକାଶ ପାଇଁ ବିଭିନ୍ନ ନିର୍ମାଣ କରୁଛି । ଏହି ପରିପ୍ରେକ୍ଷୀରେ ପାରାଦୀପଗଡ ପଂଚାୟତର ଚକ୍ରଧରପୁର ଗ୍ରାମ ନିକଟରେ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଏକ ଟାଉନସିପ୍ ନିର୍ମାଣ ନିମିତ ଭୁମି ପୂଜନର କାର୍ଯ୍ୟକ୍ରମ ଥିଲା । ତେବେ ଏହାକୁ ସଂପୃକ୍ତ ଗ୍ରାମବାସୀମାନେ ବିରୋଧ କରିଥିଲେ । ଗ୍ରାମ୍ୟ ସୁରକ୍ଷା କମିଟି ବ୍ୟାନରରେ ଏକତ୍ରିତ ହୋଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ଯେ ଏସାର ଷ୍ଟିଲ କମ୍ପାନୀକୁ ଆର୍ସେଲର ମିତଲ ନେବା ଦିନ ଠାରୁ ଏପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଦେଇ ନାହାଁନ୍ତି । ନୂଆଗଡ ପଂଚାୟତରେ ପ୍ଲାଂଟର କ୍ଷମତା ବୃଦ୍ଧି ଏବଂ ଏକ ଟାଉନସିପ୍ ନିର୍ମାଣ ପାଇଁ କମ୍ପାନୀର ନୂତନ ପରିଚାଳନା କମିଟି ନିଷ୍ପତି ନେଇଥିଲା ଏବଂ ଗ୍ରାମର ପ୍ରାୟ ଆଠ ଏକର ଜମି ଅଧିଗ୍ରହଣ କରାଯାଇଥିଲା । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ସେମାନେ ନିଜନିଜ ଜମି ଛାଡିଛନ୍ତି ତଥାପି କମ୍ପାନୀ ସେମାନଙ୍କ କଲ୍ୟାଣ ତଥା ଅଂଚଳର ବିକାଶ ପାଇଁ କିଛି କରି ନାହାଁନ୍ତି । ତେବେ ଶେଷରେ ସ୍ଥାନୀୟ ସରପଂଚ ମିହିର ରଂଜନ ସାହୁ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କୁ ଶାନ୍ତ କରିବା ପରେ କମ୍ପାନୀର ଅଧିକାରୀ ମାନଙ୍କୁ ଭୂମି ପୂଜନସ୍ଥଳକୁ ଯିବାକୁ ଦିଆଯାଇଥିଲା । ତେବେ ଗ୍ରାମବାସୀଙ୍କ ଦାବିକୁ କମ୍ପାନୀ ନିକଟରେ ଉପସ୍ଥାପନ କରି ବିହିତ ପଦକ୍ଷେପ ନିଆଯିବ ବୋଲି ସରପଂଚ ଶ୍ରୀ ସାହୁ କହିଥିଲେ । ଓଡ଼ିଶା ସମାଚାର