କେନ୍ଦ୍ରାପଡ଼ା,୦୫/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଙ୍ଗ ଛକ ନିକଟରେ ଥିବା ମାନସ ଢ଼ାବା ଉପରକୁ ଗତକାଲି ୩ ଜଣ ଦୁର୍ବୃତ ୨ ଟି ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ । ପୁଲିସ ତୁରନ୍ତ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହିତ ସେମାନଙ୍କ ଠାରୁ ୯ ଟି ଅଫୁଟା ବୋମା, ବୋମା ତିଆରି ସରଂଜାମ,ଏକ ଆପାଚି ବାଇକ୍ , ୨ ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ମାର୍ଶାଘାଇ ଥାନା ଅନ୍ତର୍ଗତ ହିନ୍ଦୁଳିଆ ଗ୍ରାମର ସୁନୀଲ ମଲିକ(୨୨) ପିତା ଶ୍ରୀଧର ମଲିକ, ପାଟକୁରା ଥାନା ଅନ୍ତର୍ଗତ ପୋତାରୀ ଗ୍ରାମର ମନୋଜ ନାୟକ (୨୫) ଓ ସେହି ଗ୍ରାମର ଜଗା ଦାସ (୨୩) । ମାଷ୍ଟର ମାଇଣ୍ଡ ସୁନୀଲ ନାମରେ ଦାଦା ବଟି,ରାହାଜାନୀ , ଲୁଟ୍ ଭଳି ୪ ଟି ମାମଲା ରହିଛି । ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦି ବେହେରା, ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା ଓ ଏସପି ମଦକର ସନ୍ଦିପ ସମ୍ପଦ ଘଟଣାସ୍ଥଳ ପରିଦର୍ଶନ କରି ସ୍ପେଷାଲ ସ୍କ୍ୱାର୍ଡ଼ କୁ ତଦନ୍ତଭାର ଦେଇଥିଲେ । ସ୍ପେଷାଲ ସ୍କ୍ୱାର୍ଡ଼ ର ଟିମ୍ ଲିଡ଼ର ପିକେ କାନୁନଗୋ ଙ୍କ ନେତୃତ୍ୱରେ ଗଠିତ ଟିମ୍ ଗତକାଲି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଓଡ଼ିଶା ସମାଚାର