ପାଟକୁରା ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ସାଇଫନ ଛକ ବଜାରରେ ଗତକାଲି ରାତିରେ ସଂଘବଦ୍ଧ ଆକ୍ରମଣରେ ୨ ଜଣ ଯୁବକ ଗୁରୁତର ଆହାତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫଦାବିରେ ଆଜି ସକାଳୁ ସ୍ଥାନୀୟ ବଜାର ବ୍ୟବସାୟୀ ମାନେ ଦୋକାନ ବନ୍ଦ କରି ସାଇଫନ ରାସ୍ତାରେ ଟାୟାର ଜାଳି ଜନସାଧାରଣ ଙ୍କ ଯାତାୟତ ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିଲେ । ଖବର ପାଇଁ ସ୍ଥାନୀୟ ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ରାସ୍ତାରୋକ କାରୀମାନଙ୍କୁ ବୁଝାସୁଝା କଲାପରେ ରାସ୍ତା ଅବରୋଧ ଉଠିଥିଲା ।
ଖବର ନେବାରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାପ୍ରାୟ ୭ଟା ୩୦ ମିନିଟି ସମୟରେ ବଡନୟନପୁର ଗ୍ରାମର ସରୋଜ ବେହେରା ଘରର ସଉଦାପତ୍ରପାଇଁ ସାଇଫନ ବଜାରରକୁ ଯାଇଥିବା ବେଳେ ସଇଫନ ପୋଲର ଅପର ପାଶ୍ୱର୍ରେ ଥିବା ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ର କୃଷ୍ଣନନ୍ଦପୁର ଗ୍ରାମରୁ ୯ ଟି ବାଇକରେ ପ୍ରାୟ ୧୫/୨୦ ଜଣ ଯୁବକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ବଜାରରେ ଥିବା ସରୋଜ ବେହେରା ଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସରୋଜଙ୍କ ପାଖରେ ଠିଆ ହେଇଥିବା ହଳଧର ବେହେରା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତମାନେ ମଧ୍ୟ ମାରଣାତ୍ମକ ଆକ୍ରମଣ କରି ପଳାଇଥିଲେ । ଚେତାଶୁନ୍ୟ ଅବସ୍ଥାରେ ସରୋଜ ଓ ହଳଧର ରାସ୍ତାରେ ପଡିଥିବାରୁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ । ଖବର ଲେଖାହେଲାବେଳକୁ ହଳଧରର ଚେତା ଫେରିଥିବା ବେଳେ ସରୋଜର ଏପର୍ଯ୍ୟନ୍ତ ଚେତା ଫେରିନଥିବା ଖବର ମିଳିଛି । ଏହାର ପ୍ରତିବାଦରେ ଆଜି ସକାଳୁ ସ୍ଥାନୀୟ ବଜାରର ବ୍ୟବସାୟୀ ଓ ସାଧାରଣ ଲୋକ ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫଦାବିରେ ରାସ୍ତା ରୋକ କରିଥିଲେ । କୈଣସି ଏକ ପୁର୍ବଶତୃତା କୁ ନେଇ ସରୋଜ ଉପରେ ଦୁର୍ବୃତମାନେ ଆକ୍ରମଣ କରିଥିବା ଶୁଣିବାକୁ ମିଳୁଛି । ସମସ୍ତ ଆକ୍ରମଣକାରୀ ଭିନ୍ନ ସପ୍ରଦାୟର ହେଇଥିବାରୁ ଗତକାଲି ରାତିରୁ ସାମ୍ପ୍ରଦାୟିକ ଦଙ୍ଗା କୁ ଆଶଙ୍କା କରି ପୋଲିସ ତ୍ୱରିତ୍ ଘଟଣାସ୍ଥଳରେ ପହଂଚି ଶାନ୍ତିଶୃଖଳା ରକ୍ଷାକରିବାରେ ସମର୍ଥ ହେଇଛି । ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁହେଇଛି । ଘଟଣାସ୍ଥଳରେ ଥାନା ଅଧିକାରୀ ସୁଜିତ ପ୍ରଧାନ , କେନ୍ଦ୍ରାପଡା ଜିଲ୍ଲା ଏସଡିପିଓ ରାଜିବଲୋଚନ ପଣ୍ଡା , ସ୍ୱେସାଲ ସ୍କ୍ୱାର୍ଡ଼ ର ପି କେ କାନୁନଗୋ ଓ ସାଇଂଟିଫିକ୍ ଟିମ ଆଜି ଦିନ ତମାମ ଉପସ୍ଥିତ ରହି ତଦନ୍ତ ଜାରିରଖିଛନ୍ତି ଓ ଶାନ୍ତିଶୃଖଳା ପାଇଁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ପ୍ରକାଶ ଥାଉକି ଏହି ସାଇଫନ ବଜାରରେ ପୁର୍ବରୁ କୃଷ୍ଣନନ୍ଦପୁର ଓ ଆଖପାଖ ଗ୍ରାମର କେତେକ ଦୁର୍ବୃତ ବାରମ୍ବାର ଗଣ୍ଡଗୋଳ କରିଚାଲିଛନ୍ତି ବୋଲି ସ୍ଥାନୀୟ ବ୍ୟବସାୟୀମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସ୍ଥାୟୀ ଶାନ୍ତିଶୃଖଳା ରକ୍ଷା ନିମନ୍ତେ କେନ୍ଦ୍ରାପଡା ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ମିଳିତଭାବରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର