ରଘୁନାଥପୁର ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ ଜଇପୁର ମହାନଦୀ ବାଲିଘାଟ ନିଲାମ ବାତିଲ ଦାବି କରି ଆଜି ୪ର୍ଥ ଦିନରେ ପହଂଚିଛି ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତିର ଧାରଣା । ସୂଚନା ଯୋଗ୍ୟ କି ୧୯୮୨ ମସିହାରୁ ଏହି ବାଲି ଘାଟକୁ ଜଇପୁର ଅଂଚଳର ୧୫୦ ଦରିଦ୍ର ପରିବାର ଝୁଡ଼ି କୋଦାଳରେ ବାଲି ଲୋଡ଼ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଲୋକ ଏହି ବାଲି ଘାଟକୁ ନିଲାମରେ ନେବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଉନଥିବାବେଳେ ପ୍ରତ୍ୟେକ ବର୍ଷ ଏହି ସଂଗଠନ ବାର୍ଷିକ ୧୦ ପ୍ରତିଶତ ଦର ବୃଦ୍ଧି କରି ସରକାରଙ୍କ ପ୍ରାପ୍ୟ ପଇଠ କରି ବାଲିଘାଟ ଚଳାଇ ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଚଳିତ ବର୍ଷ ଜିଲା ବାହାରର ଜଣେ ବ୍ୟକ୍ତି ୭୦ ପ୍ରତିଶତ ଅଧିକ ଦର ଦେବା ପାଇଁ ଟେଣ୍ଡର ପକାଇ ଏହି ବାଲି ଘାଟକୁ ହାତେଇ ନେଇଛନ୍ତି । ଫଳରେ ଏହା ଉପରେ ନିର୍ଭର କରୁଥିବା ୧୫୦ ପରିବାର ହତୋତ୍ସାହ ହୋଇ ନିଜର ପରିବାର କିପରି ପ୍ରତିପୋଷଣ କରିବେ , ସେହି ଚିନ୍ତାରେ ଗତ ଗୁରୁବାର ଠାରୁ ବାଲିଘାଟ ବାତିଲ ଦାବି କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏ ବିଷୟରେ ତହ÷ସିଲଦାର ରୁପାଲିକା ଦାସ କିଛି କରିପାରିବେ ନାହିଁ ବୋଲି ଶ୍ରମିକ ସଂଗଠନକୁ କହିଥିବାବେଳେ ବାଲିଘାଟ ନିଲାମ ବାତିଲ ନହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍ ରେ ଅଟଳ ଅଛନ୍ତି । ଏପରିକି ନିଜର ଜିବୀକା ପାଇଁ ଦରକାର ପଡ଼ିଲେ ସେମାନେ ନିଜର ଜୀବନ ଦେବବୋଲି ମଧ୍ୟ ସୂଚାଇ ଦେବା ସହିତ କୌଣସି ପରିସ୍ଥିତିରେ ବାହାର ଲୋକଙ୍କୁ ବାଲି ଉତୋଳନ କରାଇ ଦେବୁନାହିଁ ବୋଲି ଚେତାବନୀ ଦେବା ସହିତ ଉକ୍ତ ଲିଜ ବାତିଲ କରି ଉଚିତ ମୂଲ୍ୟରେ ଜଗନ୍ନାଥ ଶ୍ରମିକ ସଂଗଠନକୁ ବାଲିଘାଟ ଚଳାଇବାକୁ ଅନୁମତି ଦେବା ପାଇଁ ସେମାନେ ଜଗତସିଂହପୁର ଜିଲାପାଳ, ରାଜସ୍ୱ ବିଭାଗ ସଚିବ ମନ୍ତ୍ରୀ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର