ପାରାଦୀପ ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- କରୋନା ସଂକ୍ରମଣ ମହାମାରୀ ପ୍ରଭାବରେ ବେକାରୀ ଓ ବେରୋଜଗାରୀ ବୃଦ୍ଧି ପାଇଥିବା ବେଳେ, ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପରେ କମ୍ପାନୀ ମାନଙ୍କର ରାଜନେତାଙ୍କୁ ତୃଷ୍ଟିକରଣ ନିତୀ ଯୋଗୁଁ ବେକାରୀ ଓ ବେରୋଜଗାରୀଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଉଲ୍ଲେଖ ଥାଉକି, ଶ୍ରମିକ, ଠିକାଦାର, ଗାଡି(ଟ୍ରକ) ମାଲିକ ଇତ୍ୟାଦିଙ୍କ ସ୍ୱାର୍ଥ ରକ୍ଷା ଲାଗି ସ୍ଥାନୀୟ ଅଂଚଳରେ ବିଭିନ୍ନ ସଂଘମାନ ରହିଛି । କିନ୍ତୁ ସଂପ୍ରତି ଏହିସବୁ ସଂଘମାନେ ନିଜ ସଭ୍ୟ ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ବିଫଳ ହେଉଥିବାର ଦେଖାଯାଉଛି । ଯେଉଁମାନେ ସେମାନଙ୍କ ନ୍ୟାଯ୍ୟ ଦାବି ଓ ସମସ୍ୟା ସଂପୃକ୍ତ କମ୍ପାନୀ କର୍ତୃପକ୍ଷ ମାନଙ୍କ ପାଖରେ ଉପସ୍ଥାପନ କରୁଛନ୍ତି, କମ୍ପାନୀ ସେମାନଙ୍କ ନାମରେ ମିଥ୍ୟା କେସ୍ ଦେଇ ଫସାଉଥିବା ଅଭିଯୋଗ ହେଉଛି । ଏବଂ ଏସବୁକୁ ଦୃଷ୍ଟିରେ ରଖି ସଂଘ ନେତୃତ୍ୱ କମ୍ପାନୀ ମାନଙ୍କର ଅନ୍ୟାୟକୁ ବରଦାସ୍ତ କରୁଥିବା ଦେଖାଯାଉଛି । ଅଧିକନ୍ତୁ ସ୍ଥାନୀୟ କିଛି ନେତାମାନେ ନିଜର ବିଶ୍ୱସ୍ତ ଭୃତ୍ୟ ଓ ଚାମଚା ମାନଙ୍କୁ କମ୍ପାନୀର ଠିକା, ପରିବହନ ଓ ନିଯୁକ୍ତି କାର୍ଯ୍ୟ ଦେଇ ଅଜଶ୍ର ଅର୍ଥ ଉପାର୍ଜନ କରୁଥିବା ଚର୍ଚ୍ଚା ଜୋର ଧରିଛି । କିଛି ନେତା ମାନଙ୍କର କମ୍ପାନୀ ମାନଙ୍କ ଉପରେ କବଜା ଫଳରେ ଶହ ଶହ ଠିକାଦାର, ଗାଡି ମାଲିକ, ଶ୍ରମିକ ମାନେ ସେମାନଙ୍କ ରୋଜଗାର ହରାଇଲେଣି, ବିଶେଷ ସୂତ୍ରରୁ ପ୍ରକାଶ, ପାରାଦ୍ୱୀପ ତୈଳ ବିଶୋଧନାଗାରରେ ପ୍ରାୟ ୧୦୯କୋଟି ଟଙ୍କାର ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ନେଇଥିବା ଆର୍ଟ୍ସନ୍ ଇଞ୍ଜିନିୟରିଂ ଲିମିଟେଡ୍ ନାମକ ଏକ କମ୍ପାନୀ ସ୍ଥାନୀୟ ଠିକାଦାର ମାନଙ୍କୁ ନାନା ହଇରାଣ ହରକତ କରି ବାହାର ଠିକାଦାର ମରନଙ୍କୁ ଠିକା କାର୍ଯ୍ୟ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଶ୍ରୀ ଶ୍ରୀ ଲୋକନାଥ ଠିକାଦାର ମହାସଂଘର କିଛି ଠିକାଦାର ଉକ୍ତ ଆର୍ଟସନ୍ କମ୍ପାନୀରେ ଠିକା କାର୍ଯ୍ୟ କରୁଥିଲେ । କିନ୍ତୁ ବାହାର ଲୋକଙ୍କୁ କାର୍ଯ୍ୟ ଦେବା ଉଦ୍ଧେଶ୍ୟରେ ସ୍ଥାନୀୟ ଠିକାଦାର ମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ନଦେବା ଓ ବିଭିନ୍ନ ହଇରାଣ ହରକତ କରି କାର୍ଯ୍ୟରୁ ଅନ୍ତର କରିବାକୁ ବସିଥିବା ଠିକାଦାର ମହାସଂଘ ଅଭିଯୋଗ କରିଛି । ଅନ୍ୟପକ୍ଷ୍ୟରେ ଉକ୍ତ କମ୍ପାନୀ ପାରାଦ୍ୱୀପର ଜଣେ ପୂର୍ବତନ ଥାନା ଅଧିକାରୀଙ୍କୁ ନିଯୁକ୍ତି ଦେଇ ପରୋକ୍ଷରେ ଠିକାଦାର ମାନଙ୍କୁ ନିରୁତ୍ସାହିତ ଓ ଧମକାଉଥିବା ଚର୍ଚ୍ଚା ହେଉଛି । ଏହି ସମସ୍ୟା ସମ୍ପର୍କରେ ମହାସଂଘ ପକ୍ଷରୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଯଦି ପ୍ରଶାସନ ଏ ଦିଗରେ ସମୟୋଚିତ ଉଚିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଓଡ଼ିଶା ସମାଚାର