Friday , September 22 2023
Breaking News
Home / ବିଶେଷ / ସମ୍ବିଧାନର ସୁରକ୍ଷା ପାଇଁ ଶପଥ ପାଠ

ସମ୍ବିଧାନର ସୁରକ୍ଷା ପାଇଁ ଶପଥ ପାଠ

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- କୃଷି, କୃଷକ ତଥା ଖାଉଟି ବିରୋଧୀ କଳା, କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ୩୭ ଦିନ ହେଲା ପ୍ରଚଣ୍ଡ ଶୀତ କାକରରେ ଦେଶର କୃଷକମାନେ ଦିନରାତି ରାଜରାସ୍ତାରେ ବସିଥିବାବେଳେ ସରକାର ସେମାନଙ୍କ ଦାବି ପୂରଣ କରି ଆନ୍ଦୋଳନର ପରିସମାପ୍ତି ଘଟାଇବା ପରିବର୍ତେ ଆନ୍ଦୋଳନକୁ ବଦନାମ କରିବା ଓ ଭାଙ୍ଗିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରି ଚାଲିଛନ୍ତି । ଦେଶର ସମ୍ବିଧାନ ନାମରେ ଶପଥ ନେଇଥିବା ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ଦଳୀୟ ସାଂସଦ ଓ ମନ୍ତ୍ରୀମାନେ ଦେଶସାରା ବୁଲିବୁଲି ପ୍ରତି ଆନ୍ଦୋଳନ ଛିଡା କରିବାକୁ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବର୍ତମାନ ସରକାର ଦେଶରେ ହେଉଥିବା ସମସ୍ତ ଗଣତାନ୍ତ୍ରିକ ଆନ୍ଦୋଳନକୁ ଏହି ରିତୀରେ ଭାଙ୍ଗିବା ସହ ସମ୍ବିଧାନ ପ୍ରଦତ ନାଗରିକଙ୍କ ମୈାଳିକ ଅଧିକାର ତଥା ସମ୍ବିଧାନ ସୃଷ୍ଟ ସ୍ୱାଧୀନ ସଂସ୍ଥା ଗୁଡିକୁ ଦୁର୍ବଳ କରି ଚାଲିଛନ୍ତି । ରାଷ୍ଟ୍ର ଓ ସରକାରକୁ ଏକାକାର ଦର୍ଶାଇ ସରକାରଙ୍କୁ ତ୍ରୁଟିପୂର୍ଣ୍ଣ ନୀତି ଓ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ବିରୋଧୀ ରାଜନୈତିକ ଦଳ ତଥା ବୁଦ୍ଧିଜିବୀମାନଙ୍କୁ ଦେଶ ସ୍ୱାର୍ଥ ବିରୋଧୀ ଏବଂ ଦେଶଦ୍ରୋହୀ ଭାବେ ଆରୋପିତ କରି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭାଙ୍ଗି ଏକଛତ୍ରବାଦୀ ବ୍ୟବସ୍ଥା ପ୍ରଚଳନ କରିବାକୁ ଉଦ୍ୟମ କରୁଛନ୍ତି ।
ଦେଶର ସାମ୍ବିଧାନିକ ବ୍ୟବସ୍ଥା ଓ ସମ୍ବିଧାନ ପ୍ରଦତ ନାଗରିକ ଅଧିକାର ଗୁଡିକ ଦୁର୍ବଳ ହେଲେ ଦେଶର ଗଣତନ୍ତ୍ର ଦୁର୍ବଳ ହେବ ଏବଂ ଦେଶ ଦୁର୍ବଳ ହୋଇଯିବ । ତେଣୁ ଦେଶକୁ ଏହି ଶାସ୍ତ୍ରକାୟ ବିପତି କବଳରୁ ଭରଷା କରିବା ପାଇଁ ଦେଶର ସମ୍ବିଧାନକୁ ରକ୍ଷା କରିବାକୁ ହେବ । ଏହି ସମ୍ବିଧାନର ରକ୍ଷା ସମ୍ବିଧାନକୁ ପଢିବା ଓ ଭଲଭାବରେ ବୁଝିବା ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଏହି ପରିପେକ୍ଷୀରେ ଆଜି ନୂଆବର୍ଷରେ ସମ୍ବିଧାନ ନାମରେ ଶପଥ ନେବା ପାଇଁ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଦ୍ୱାରା ଦେଶବାସୀଙ୍କୁ ଦିଆଯାଇଥିବା ଆହ୍ୱାନ କ୍ରମେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନିଆଯାଇଛି । ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂ, ଅଖିଳ ଭାରତ କୃଷକ ସଭା ଜିଲ୍ଲା ନେତା ଆଦିକନ୍ଦ ରାଉଳ, କିଷାନ କଂଗ୍ରେସ ଜିଲ୍ଲା ନେତା ସଂଜୟ ରାଉତ, ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା କମିଟି ସଭ୍ୟ ରବିନ୍ଦ୍ର ମହାପାତ୍ର, ଗ୍ରାମୀଣ ଚାଷୀ ମୂଲିଆ ସଂଘ ନେତା ଫକିର ଖଟୁଆଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ସି.ପି.ଆଇ ଜିଲ୍ଲା ସଂପାଦକ ରମଣୀ ରଂଜନ ରାଉତରାୟ, ସିପିଏମ୍ ଜିଲ୍ଲା ସଂପାଦକ ଗୟାଧର ଧଳ, ଆଇ.ଏନ୍.ଟି.ୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ଏ.ଆଇ.ଟି.ୟୁସି ସଭାପତି ବାବାଜୀ ଧଳ, ମାଧବ ଦାସ, ଗୋପାଳ ଜେନା, ସଂଯୁକ୍ତା ରାଉତ, କମଳାକାନ୍ତ ବେହେରା, ଅମୀୟ ନାୟକ, କୁବେର ସାହୁ, ଦାଶରଥି ସାହୁ, ସେକ୍ ଅଜମତୁଲ୍ଲା, ଦୋଳଗୋବିନ୍ଦ ସାହୁ, ମକ୍ସୁଦ୍ ଅଲ୍ଲୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *