ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଦଳ
ଭୁବନେଶ୍ୱର, ୩୧/୧୨/୨୦୨୦ (ଓଡ଼ିଶା ସମାଚାର)- ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା, ତେଜମୟ ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗର ମୂର୍ତିମନ୍ତ ପ୍ରତୀକ, ପ୍ରବଳ ସାହାସୀ ଓ ପରାକ୍ରମୀ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ (ଜାନୁୟାରୀ ୨୩, ୧୮୯୭) ଆସନ୍ତା ଜାନୁୟାରୀ ୨୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଭାରତର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ତ୍ୟାଗ ଓ ଅବଦାନକୁ ସ୍ମରଣ କରି ଜାତୀୟ ତଥା ରାଜ୍ୟସ୍ତରରେ ନେତାଜୀଙ୍କର ୧୨୫ତମ ଜନ୍ମ ଜୟନ୍ତୀକୁ ଏକ ନିରପେକ୍ଷ କମିଟି ଗଠନ କରି ଉପଯୁକ୍ତ ମର୍ଯ୍ୟାଦାର ସହିତ ପାଳନ କରିବାକୁ ସାମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିବା ସହିତ ଏହାର ଏକକିତା ନକଲ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣ କରି ଜାତୀୟସ୍ତରରେ ଏକ କମିଟି ଗଠନ କରିବା ପାଇଁ ଦାବି କରିଛନ୍ତି । ଏହି ପତ୍ରରେ ସେ ଦର୍ଶାଇଛନ୍ତି ଯେ, ନେତାଜୀ ସୁଭାଷ ବୋଷଙ୍କ ଆଜାଦ ହିନ୍ଦ ଫୌଜର ଗୌରବ ଗାଥାକୁ ନେଇ ଜାତୀୟ ଓ ବିଭିନ୍ନ ରାଜ୍ୟରେ ଏକ ଟେଲିଫିଲ୍ମ ବିଭିନ୍ନ ଭାଷାରେ ପ୍ରସ୍ତୁତ କରାଯାଇ ବର୍ତମାନର ପିଢି କିଭଳି ଭାବରେ ନେତାଜୀଙ୍କର ଅବଦାନ ସହିତ ପରିଚିତ ହୋଇପାରିବେ, ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଓଡ଼ିଶାରେ ପରିପୁଷ୍ଟ ହୋଇଥିବା ନେତାଜୀଙ୍କର ବ୍ୟକ୍ତିତ୍ୱ ଉପରେ ଭୁବନେଶ୍ୱର ସହରରେ ଏକ ପାର୍କ ପ୍ରତିଷ୍ଠା କରାଯାଇ ଲାଇଟ୍ ଏବଂ ସାଉଣ୍ଡ ମାଧ୍ୟମରେ ନେତାଜୀଙ୍କର ସ୍ୱାଧୀନତା ସଂଗ୍ରାମର ଭୂମିକା ଉପରେ ସବିଶେଷ ଭାବରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରିବାକୁ ସେ ଉଲ୍ଲେଖ କରିଛନ୍ତି । ଏହା ବ୍ୟତୀତ ପ୍ରତିବର୍ଷ ତାଙ୍କ ନାମରେ ଜଣେ ଯୁବକଙ୍କୁ ଜାତୀୟ ଓ ରାଜ୍ୟସ୍ତରରେ ସାହାସିକତା ପୁରସ୍କାର ପ୍ରଦାନ କରିବା ପାଇଁ ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀକୁ ନେଇ ରାଜ୍ୟ ସରକାର ବର୍ଷସାରା ଏହାକୁ ପାଳନ କରିବାର ଯେଉଁ ସଂକଳ୍ପ ନେଇଛନ୍ତି ତାହାକୁ ଶ୍ରୀ ବେହେରା ସ୍ୱାଗତ କରିବା ସେଙ୍ଗ ସେଙ୍ଗ ନେତାଜୀଙ୍କର ୧୨୫ତମ ଜୟନ୍ତୀକୁ ମଧ୍ୟ ସେହିଭଳି ମର୍ଯ୍ୟାଦାର ସହିତ ପାଳନ କରିବାକୁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର
Home / ରାଜନୀତି / ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଜାତୀୟ ଓ ରାଜ୍ୟସ୍ତରରେ ମର୍ଯ୍ୟାଦାର ସହିତ ପାଳନ କରିବାକୁ ସମାଜବାଦୀ ପାର୍ଟିର ଦାବି