Sunday , October 17 2021
Breaking News
Home / କୃଷି / ଧାନ କିଣା ଅବ୍ୟବସ୍ଥା ନେଇ ସରକାର ସମୀକ୍ଷା ବୈଠକ ଡ଼ାକିବାକୁ ଦାବି – ୧୦୦୦ କୋଟି ଲୁଟୁଛନ୍ତି ମିଲରମାନେ

ଧାନ କିଣା ଅବ୍ୟବସ୍ଥା ନେଇ ସରକାର ସମୀକ୍ଷା ବୈଠକ ଡ଼ାକିବାକୁ ଦାବି – ୧୦୦୦ କୋଟି ଲୁଟୁଛନ୍ତି ମିଲରମାନେ

ଭୁୁବନେଶ୍ୱର,୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଚାଷୀଙ୍କ ଧାନ ସଂଗ୍ରହ ନେଇ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସାରା ଓଡ଼ିଶାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ବିଶେଷକରି ମିଲରମାନେ ଧାନ ସଂଗ୍ରହ ସମୟରେ ଧାନର ମାନ ନେଇ ଚାଷୀମାନଙ୍କୁ ବ୍ଲାକମେଲିଂ କରୁଛନ୍ତି । ଧାନ ଏଫଏକୁ୍ୟ ମାନର ନୁହେଁ ବୋଲି ଅଭିଯୋଗ କରି କୁଇଂଟାଲ ପିଛା ଚାଷୀଙ୍କର ୪ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି । ଏଭଳି ଅଭିଯୋଗ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଏ ନେଇ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ସଚିବ ଏମାନଙ୍କ ମଧ୍ୟରେ କୌଣସି ଉଦ୍ବେଗ ନାହିଁ । ସତେ ଯେଭଳି ଚାଷୀଙ୍କ ଠାରୁ ଧାନ କାଟିବା ପାଇଁ ପ୍ରଶାସନ ତରଫରୁ ସବୁଜ ସେଙ୍କତ ରହିଛି । ବିଗତ ଦିନରେ ସିଏଜି ରିପୋର୍ଟରେ ବର୍ଷକୁ କଟନୀ ଛଟନୀରେ ୪୦୦ କୋଟି ଟଙ୍କା ମିଲରମାନେ ଲୁଟ କରୁଛନ୍ତି ବୋଲି ଅଭିଯୋଗ ହେଲା ପରେ ମଧ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ । ଧାନ କିଣା ପାଇଁ ଯୋଗାଣ ବିଭାଗ ନିର୍ଦ୍ଧେଶିକା ପୁସ୍ତକରେ ଯାହା ଉଲ୍ଲେଖ ଅଛି, ସେଥିରୁ ଧାଡ଼ିଟିଏ ସରକାରୀ କର୍ମଚାରୀ, ସରକାର ପାଳନ କରୁନାହାଁନ୍ତି । ନିୟମ ଅନୁଯାୟୀ ପ୍ରତି ବ୍ଲକ ଓ ତହସିଲ୍ ରେ ମଣ୍ଡିରେ ଜଣେ ଜଣେ ନୋଡ଼ାଲ ଅଫିସର ଭାବରେ ବିଡ଼ିଓ କିମ୍ବା ତହସିଲଦାର ରହିବା କଥା । ମାତ୍ର କେବେ ବି କୌଣସି ବିଡ଼ିଓ କିମ୍ବା ତହସିଲଦାର ଧାନ ମଣ୍ଡି ପରିଦର୍ଶନରେ ଯାଉନାହାଁନ୍ତି । ଯେଉଁଥିପାଇଁ ମିଲରମାନେ ମନଇଚ୍ଛା ଗରିବ ଚାଷୀଙ୍କ ଠାରୁ ଧାନ ଲୁଟ୍ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସମବାୟ ସମିତି ସମ୍ପାଦକମାନେ ନିଜେ ବ୍ୟାପକ ଭାବରେ ନିଜେ ଧାନ ବେପାର କରିବା ଯୋଗୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ନିରୁତ୍ସାହିତ କରି ମଣ୍ଡିରୁ ସମ୍ପାଦକମାନେ ଫେରାଇ ଦେବା ପରେ ରାତି ଅଧିଆ ବେକାରୀଙ୍କ ଠାରୁ ୧୦ ଚକିଆ ଟ୍ରକରେ ଧାନ ଉଠାଉଛନ୍ତି । ଏବେ ଏବେ ଭିଜିଲାନ୍ସ ଯେଉଁ କୋଟିପତି ସମବାୟ ସମ୍ପାଦକଙ୍କୁ ଗିରଫ କରିଛି ତା ମୂଳର ବଡ଼ ରହସ୍ୟ ରହିଛି ଯେ ଅଧିକାଂଶ ସମବାୟ ସମିତି ସମ୍ପାଦକ ନିଜେ ମିଲରଙ୍କ ସହ ମିଶି ଧାନ ବ୍ୟବସାୟ କରିଛନ୍ତି । ସେହିଭଳି କେତେକ ଅସାଧୁ ମିଲର ପୂର୍ବରୁ ୧୪୦୦ ଓ ୧୨୦୦ ଟଙ୍କାରେ ସିଧାସଳଖ ମିଲ୍ ରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରି ପରେ ଏହାକୁ ୧୮୬୫ଟଙ୍କାରେ କାଗଜପତ୍ର କରାଇ ନେଉଛନ୍ତି । ଦୁଃଖଦାୟକ କଥା ଯେ, ଏଭଳି ଘଟଣା ବର୍ଷ ବର୍ଷ ଧରି ଘଟିବା ଓ ଧାନକିଣା ଦୁର୍ନୀତି ନେଇ ନରସିଂହ ମିଶ୍ର ମୁହଁ ଖୋଲିବା ପରେ ମଧ୍ୟ ସରକାର ଏ ନେଇ ନିଦାବିଷ୍ଣୁ ହୋଇ ବସିଛନ୍ତି । କେନ୍ଦୁଝର ଭଳି ଜିଲ୍ଲାରେ ୧୦୦୦ ଟଙ୍କାରେ ଧାନ ବିକୁଥିବା ବେଳେ ଭୁବନେଶ୍ୱର ଉପକଣ୍ଠରେ ଚାଷୀ ୧୩୫୦ରେ ଧାନ ବିକୁଛନ୍ତି । ବର୍ଷକୁ ୮୦୦୦ କୋଟି ଟଙ୍କା ଧାନକିଣାରୁ ମିଲର ପାଖାପାଖି ୫୦୦ରୁ ୧୦୦୦ କୋଟି ଟଙ୍କା ସିଧା ଲୁଟୁଥିବା ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଓଡିଶା କୃଷକ ସଭାର ଜିଲ୍ଲା ନେତା ବିଜୟ ଦାସଙ୍କ ନେତୃତ୍ୱରେ …

Leave a Reply

Your email address will not be published. Required fields are marked *