ପାଟକୁରା ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମରେ ଥିବା ହରଗୌରୀ ଆଶ୍ରମରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭ କଳସୀ ବୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଡାରୀ ପଂଚାୟତର ହରିଦାସପୁର ଓ ପଦ୍ମପୁର ପଂଚାୟତର ବିଚଣା ଗ୍ରାମ ସହିତ ବାହାର ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁମାନେ ଏହି କଳସ ଶୋଭାଯାତ୍ରାରେ ଭାଗ ନେଇଥିଲେ । ୧୩୫ଜଣ ମହିଳା ଶୁଭ୍ର ବସ୍ତ୍ର ପରିଧାନ କରି କାଖରେ ଶୁଭ କଳସୀ ଧରି ହରଗୋରୀ ଆଶ୍ରମରୁ ବାହାରି ବିଚଣା ଓ ହରିଦାସପୁର ଗ୍ରାମ ପରିକ୍ରମା କରି ପବିତ୍ର ଚିତ୍ରୋତ୍ପଳା ନଦୀକୂଳରେ ଅବସ୍ଥିତ ଶନିଶ୍ଚରଦେବଙ୍କ ପୀଠସ୍ଥଳୀରେ ବୈଦିକ ମତରେ ପୂଜାର୍ଚ୍ଚନା କରାଯିବା ପରେ ନଦୀରେ କଳସ ବୁଡାଯାଇଥିଲା । ମୁହଁରେ ମାସ୍କ ପରିଧାନ କରି ସାମାଜିକ ଦୂରତ୍ୱ ମଧ୍ୟରେ ଶୋଭାଯାତ୍ରାରେ ଭାଗ ନେଇଥିବା ମହିଳାମାନେ ଶୁଭକଳସୀ ରେ ପବିତ୍ର ଚିତ୍ରୋତ୍ପଳା ନଦୀରୁ ଜଳ ଆଣିି ଆଶ୍ରମରେ ପହଂଚିଥିଲେ । ଏହି ଅବସରରେ ଆଶ୍ରମରେ ଘୃତ ଯଜ୍ଞର ଅଙ୍କୁରାରୋପଣ କରା ଯାଇ ଘୃତ ଯଜ୍ଞ କରାଯାଉଛି । ଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ ହେବା ସହିତ ସ୍ୱାମୀ ଅରୂପାନନ୍ଦ ମହାରାଜଙ୍କ ଦ୍ୱାରା ମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କର ପ୍ରବେଶ ଓ ପ୍ରାଣ ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଥିବା ଆଶ୍ରମର ମଠାାଧିଶ ବାବା ସତ୍ୟଭାନୁ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଂଚଳରୁ ଭଞ୍ଜ କିଶୋର ମହାନ୍ତି, ଭଗବାନ ଜେନା, ଆକାଶ ମହାପାତ୍ର, ଜ୍ଞାନରଞ୍ଜନ ପ୍ରଧାନ, ଅକ୍ଷୟ କୁମାର ପରିଡା,ମଂଟୁ ମହାନ୍ତି, ଚିତରଞ୍ଜନ ଚୌଧୁରୀ, ଅଭୟ କୁମାର ଦାସ, ଅଶୋକ କୁମାର ମହାନ୍ତି,ଚନ୍ଦ୍ର ଶେଖର ମହାନ୍ତି ପ୍ରମୁଖ ଆଶ୍ରମର ସେବକ ମଣ୍ଡଳୀମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଓଡ଼ିଶା ସମାଚାର