ଗରଦପୁର ୩୦/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ସେବା ସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବେଡାରୀ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଉଦଘାଟିତ ହେବା ଅବସରରେ ବେଡାରୀ ସେବାସମବାୟ ସମିତିର ପୂର୍ବତନ ପରିଚାଳନା ସଭାପତି ଚିତରଞ୍ଜନ ଚୌଧୁରୀ,ପୂର୍ବତନ ନିର୍ଦ୍ଧେଶକ ଜୀବନାନନ୍ଦ ଚୌଧୁରୀ,ବେଡାରୀ ସେବା ସମବାୟ ସମିତି ଦାଇତ୍ୱରେ ଥିବା ସମିତି ସମ୍ପାଦକ ଦିଲ୍ଲୀପ କୁମାର ପଣ୍ଡା,ସହ-ସମ୍ପାଦକ ଉମାକାନ୍ତ ସାହୁ, ନିତ୍ୟାନନ୍ଦ ସାହୁ,ଜ୍ଞାନେନ୍ଦ୍ର କୁମାର ବାରିକ୍,ପ୍ରଦୀପ୍ କୁମାର ସାହୁ,ବିକ୍ରମ ଲେଙ୍କା,ଶରତ ଚନ୍ଦ୍ର ସେଠୀ,ନରେଶ ଚନ୍ଦ୍ର ରାଉତ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ । ଉଦଘାଟନ ଅବସରରେ ଆଜି ସମିତିରେ ଓଜନ କଂଟାକୁ ପୂଜା କରାଯିବା ସହିତ ପ୍ରଥମ କରି ଚଳିତ ବର୍ଷର ଧାନକୁ ଓଜନ କରାଯାଇଥିଲା । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ସେବା ସମବାୟ ଅଧିନରେ ବେଡାରୀ ଓ ପଦ୍ମପୁର ଦୁଇଗୋଟି ପଂଚାୟତ ସହିତ ପାଟକୁରା ପଂଚାୟତର ଦୁଇଗୋଟି ଗ୍ରାମକୁ ନେଇ ମୋଟ ୨ ହଜାର ୩ଜଣ ସଭ୍ୟଭୁକ୍ତ ଚାଷୀମାନେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୨୮୭ଜଣ ଚାଷୀ ସମବାୟ ସମିତିରୁ ରୁଣ ଦେଣ ନେଣ କରୁଥିବାବେଳେ, ୮୮୭ଜଣ ସକ୍ରୀୟ ଚାଷୀ ଭାବରେ ରୁଣ ନେଇଛନ୍ତି । ମାତ୍ର ଏହି ସେବା ସମବାୟ ସମିତିରେ ମୋଟ ୧୫୦ଜଣ ଚାଷୀ ଅନ୍ ଲାଇନ ମାଧ୍ୟମରେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଆବେଦନ କରିଥିବା ସମ୍ପର୍କରେ ସମବାୟ ସମିତି କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ଏଫ୍କ୍ୟୁ ମାନର ଧାନ କୁଇଁଟାଲ ପିଛା ୧୮୬୮ ଟଙ୍କା ଦାମ୍ ଧାର୍ଯ୍ୟ କରାଯାଇଥିବାବେଳେ,ଗ୍ରେଡ -ଏ ଧାନ କୁଇଁଟାଲ ପିଛା ୧୮୮୮ଟଙ୍କା ମୂଲ୍ୟ ରହିଥିବା ନେଇ ସେବା ସମବାୟ ସମିତିର ସହ ସମ୍ପାଦକ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି । ମିଳିଥିବା ରାସନ କାର୍ଡ କଟିଯିବା ଭୟରେ ଅଧିକାଂଶ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଅନ୍ ଲାଇନ ମାଧ୍ୟମରେ ଆବେଦନ କରି ନ ଥିବା ସମ୍ପର୍କରେ କେତେକ ବରିଷ୍ଟ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର