ଭୁବନେଶ୍ୱର, ୨୮/୧୨/୨୦୨୦ (ଓଡ଼ିଶା ସମାଚାର)- ଇମ୍ଫା ଗ୍ରୁପ୍ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ୨୮ତମ ଏକଲବ୍ୟ ପୁରସ୍କାର -୨୦୨୦ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଭାରୋତ୍ତଳକ ସ୍ନେହା ସୋରେନ୍ ଏବଂ ବ୍ୟାଡ୍ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ପୁରସ୍କାର ପ୍ରଦାନ କରାଯାଇଛି। ଦୁଇ ଉପବିଜେତାଙ୍କୁ ୫୦ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି।
କରୋନା ପାଇଁ ଇମ୍ପାକ୍ଟ ପକ୍ଷରୁ ନିରାଡ଼ମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ରବିବାର ଅନୁଷ୍ଠିତ ଇମ୍ପାକ୍ଟ ପକ୍ଷରୁ ଅନୁଷ୍ଠିତ ଏହି ନିରାଡ଼ମ୍ବର ଉତ୍ସବରେ ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ଆନ୍ତର୍ଜାତୀକ ହକି ପ୍ରତିଯୋଗିତାରେ ଭାରତରୁ ନମିତା ଟପ୍ପୋ ପ୍ରତନିଧ୍ୱତ୍ୱ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି। ଭାରତ ପାଇଁ ୧୫୬ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍ କପ୍ ସ୍ୱର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।
ସେହିପରି ଦୁଇ ଉଦୀୟମାନ ପ୍ରତିଭା ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍ ଓ ବ୍ୟାଡ୍ମିଣ୍ଟନ ଖେଳାଳୀ ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ୫୦ହଜାର ଟଙ୍କା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶା ସମାଚାର