ଭୁବନେଶ୍ୱର,୨୫/୧୨/୨୦୨୦(ଓଡ଼ିଶା ସମାଚାର)- ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ କହିଥିଲେ ଯେ ଏହି ନୂତନ ପୋର୍ଟାଲ୍ ଅଦ୍ୱିତୀୟ ଏବଂ ସମୟୋପଯୋଗୀ । ଯେତେବେଳେ କୋଭିଡ୍-୧୯ ମହାମାରୀ ଦ୍ୱାରା ସାରା ରାଜ୍ୟ କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସେମାନେ ଅନ୍ୱେଷଣ କରୁଥିବା ଆବଶ୍ୟକୀୟ ବୃତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାଯ୍ୟ କରିବ । ଏହି କ୍ୟାରିଅର ପୋର୍ଟାଲ୍ ରେ ସର୍ବାଧିକ ଚିତାକର୍ଷକକାରୀ ଦିଗଟି ହେଲା, ଏହାର ସମସ୍ତ ପାଠ୍ୟ ବିଷୟ ଗୁଡ଼ିକରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛି । ଶିକ୍ଷାର୍ଥୀମାନେ ଏହାର ଡାସ୍ ବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ ଇନ୍ କରି ଏହାକୁ ଖୋଲିପାରିବେ । ଆବଶ୍ୟକୀୟ ସୂଚନା ପାଇବା ସହିତ ତତ୍ ସମ୍ବନ୍ଧୀୟ ନିଜର ସନ୍ଦେହମୋଚନ କରିପାରିବେ । ସଠିକ୍ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ନିମନ୍ତେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ । ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା କ୍ୟାରିଅର ପୋର୍ଟାଲ୍ ର ଶୁଭାରମ୍ଭ ହୋଇଛି । ଯଦ୍ଧ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତ୍ସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବେ । ନିଜର ଲଗ୍ ଇନ୍ ଆଇଡି ଏବଂ ପାସ୍ ୱାର୍ଡ ମାଧ୍ୟମରେ ଲଗ୍ ଇନ୍ କରି ସେମାନେ ଏହି ସହାୟତା ପାଇପାରିବେ । ଏହି ପୋର୍ଟାଲ୍ ଦ୍ୱାରା ଶିକ୍ଷାର୍ଥୀମାନେ ବିଭିନ୍ନ ବୃତିି ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ଜାଣିବେ ଏବଂ ଶିକ୍ଷକମାନଙ୍କ ସହିତ ସିଧାସଳଖ କଥାବାର୍ତା ମଧ୍ୟ କରିପାରିବେ । ଏହି ପୋର୍ଟାଲ୍ କୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୋବାଇଲ୍ ଉପଯୋଗୀ ଆପ୍ କୁ ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରୁ ଉପକୃତ ହୋଇପାରିବେ । ଏହା ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଅଛି । ଏହି ଅନନ୍ୟ ପୋର୍ଟାଲ ଟି ବିଭିନ୍ନ ବୃତିି ଓ ସେଗୁଡ଼ିକ ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଅନୁଷ୍ଠାନ ଏବଂ ସେଥିପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ତଥା ବୃତିଗୁଡ଼ିକ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବେ ସୂଚନା ପ୍ରଦାନ କରିଥାଏ । ପୋର୍ଟାଲ୍ ରେ ୫୫୦ରୁ ଊର୍ଦ୍ଧ୍ୱ ବୃତିି ବା ଧନ୍ଦା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ରହିଛି ଏବଂ ଏହାର ଉପଯୋଗ କରି ଶିକ୍ଷାର୍ଥୀମାନେ ୨,୬୨,୨୦୦ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ଜାଣିବା ସହିତ ରାଜ୍ୟ ଏବଂ ଦେଶରେ ଥିବା ୧୭୦୦ରୁ ଊର୍ଦ୍ଧ୍ୱ ନିମ୍ନସ୍ନାତକ ଏବଂ ସ୍ନାତକୋତର ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ । ଏତଦ୍ବ୍ୟତୀତ ଏଥିପାଇଁ ଥିବା ୧୧୫୦ଟି ପ୍ରବେଶିକା ପରୀକ୍ଷା ଏବଂ ସେମାନଙ୍କର ଆବେଦନ ପ୍ରଣାଳୀ ବିଷୟରେ ମଧ୍ୟ ଜାଣିପାରିବେ । ପ୍ରଦତ ଧନ୍ଦାଗୁଡ଼ିକ ସଂଲଗ୍ନ ୧୧୨୦ଟି ଛାତ୍ରବୃତିି, ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଭାରତ ତଥା ଭାରତ ବାହାରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଫେଲୋସି ୍ଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରାପ୍ତ ହୋଇପାରିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭୂପିନ୍ଦର ସିଂ ପୁନିଆ , ୟୁନିସେଫ୍ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନେଲସନ୍ ବକ୍ତବ୍ୟ ରଖିଥିବା ବେଳେ ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ, ୟୁନିସେଫ୍, ଆରତୀ ରାଉତ, ଯୁଗ୍ମ ନିର୍ଦ୍ଧେଶକ(ଓସେପା) ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର