ଭୁବନ,୨୪/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନ ଏନଏସିରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମେଡିକାଲ ଇନଚାର୍ଜ ଡା. ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଡେଙ୍ଗୁ,ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାରଙ୍କ ମଶାରୀ ବଣ୍ଟନ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରି ମଶାରୀ ବଣ୍ଟନ ର ଶୁଭାରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ମଧ୍ୟରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନ୍ୟତମ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ତହସିଲଦାର ପ୍ରଭାସ କୁମାର ବେହୁରା,ସିଡିପିଓ ପ୍ରମୋଦିନୀ ତ୍ରିପାଠୀ, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ,ମ୍ୟାଲେରିଆ ପର୍ଯ୍ୟବେକ୍ଷକ ଅମିତ କୁମାର ସାମଲ ଯୋଗଦେଇଥିଲେ । ଆକାଉଟାଣ୍ଟ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭୁବନ ଏନଏସି ପାଇଁ ୧୨ ହଜାର ମଶାରୀ ଆସିଥିବା ସଂପର୍କରେ ଡା.ଶ୍ରୀ ସାହୁ ସୂଚନା ଦେଇ କହିଥିଲେ ଯେ ଅଙ୍ଗନୱାଡି,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ମାଧ୍ୟମରେ ଏହି ମଶାରୀ ବଣ୍ଟନ କରାଯିବ । ଓଡ଼ିଶା ସମାଚାର