ଭୁବନେଶ୍ୱର, ୨୪/୧୨/୨୦୨୦ (ଓଡ଼ିଶା ସମାଚାର)- ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ବିରୋଧୀ ଦଳ ଓ କୃଷକ ସଂଗଠନମାନଙ୍କ ପ୍ରତିବାଦକୁ ଭ୍ରୂକ୍ଷେପ ନ କରି ବିନା ଆଲୋଚନାରେ କୃଷି ଓ କୃଷକ ବିରୋଧୀ ୩ଗୋଟି ନୂଆ କୃଷି ଆଇନକୁ ଅସାମ୍ବିଧାନିକ ଭାବେ ପାର୍ଲିଆମେଂଟରେ ପାଶ୍ କରାଇ ନେଇଛନ୍ତି । ଉକ୍ତ ଆଇନମାନଙ୍କରେ ଯାହାସବୁ ପ୍ରାବଧାନ ଅଛି, ତାହା ଦେଶର କୃଷି ଓ କୃଷକମାନଙ୍କର ଜୀବନ-ଜୀବିକାକୁ ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ହାତରେ ଟେକିଦେବା ପାଇଁ ଉଦ୍ଧିଷ୍ଟ । ଏହି ଆଇନକୁ ପ୍ରତ୍ୟାହାର କରିନେବା ପାଇଁ ଦେଶର ୫୦୦ରୁ ଊଦ୍ଧ୍ୱର୍ କୃଷକ ସଂଗଠନ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ନାମରେ ଏକତି୍ରତ ହୋଇ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ପ୍ରବେଶପଥରେ ଦୀର୍ଘ ୨୯ଦିନକାଳ ଆନ୍ଦୋଳନ ଚଳାଇଛନ୍ତି । ଅଦ୍ୟାବଧି ୩୯ଜଣ କୃଷକ ମୃତୁ୍ୟବରଣ କରି ଶହୀଦ ହୋଇସାରିଲେଣି । ଓଡ଼ିଶାରେ ଏହି ବିଲ୍କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ, ରାଜନୈତିକ ଦଳ, ବୁଦ୍ଧିଜୀବୀ ଆନ୍ଦୋଳନ ଚଳାଇଛନ୍ତି । ମାତ୍ର କୃଷି ଆଇନ ସମ୍ପର୍କରେ ଓଡ଼ିଶା ରାଜ୍ୟ ସରକାର ନିରବ ରହିଛନ୍ତି ।
ବିଜେଡି ଦଳର ରାଜ୍ୟକାରୀ କମିଟି ଓ ରାଜ୍ୟ ପରିଷଦ ବୈଠକରେ ଓଡ଼ିଶା ପାଇଁ ବିଭିନ୍ନ ପ୍ରସ୍ତାବର ସଂକଳ୍ପ ପାରିତ ହୋଇଥିଲାବେଳେ ଦେଶର କୃଷି ଆଇନ ଉପରେ କୌଣସି ପ୍ରସ୍ତାବ ପାରିତ ହୋଇପାରିଲା ନାହିଁ । ବିଗତ ଦିନରେ ଧାନ କୁଇଂଟାଲକୁ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାଶ୍ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସ୍ଥିର କରାଯାଇଥିଲା । ତା’ର କାର୍ଯ୍ୟକାରିତା ଉପରେ ରାଜ୍ୟବାସୀ ଅନ୍ଧାରରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକମାନଙ୍କ ପାଇଁ ପାରିତ ହୋଇଥିବା ୩ଗୋଟି କୃଷି ଆଇନ ସମ୍ପର୍କରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇ ଆଲୋଚନା କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି । ସେହିପରି ରାଜ୍ୟ ସରକାର କୃଷି ଆଇନ ସମ୍ପର୍କରେ ରାଜ୍ୟବାସୀଙ୍କ ପାଖରେ ତାଙ୍କର ମତ ସ୍ପଷ୍ଟ କରନ୍ତୁ ବୋଲି ମଧ୍ୟ ଦାବି କରାଯାଇଛି । ଓଡ଼ିଶା ସମାଚାର
Home / ରାଜନୀତି / ନୂଆ କୃଷି ଆଇନ ସମ୍ପର୍କରେ ଆଲୋଚନା ପାଇଁ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି