Sunday , October 24 2021
Breaking News
Home / ବିଶେଷ / କବି ଚକ୍ରଧର ରାଉତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

କବି ଚକ୍ରଧର ରାଉତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର, ୨୪/୧୨/୨୦୨୦ (ଓଡ଼ିଶା ସମାଚାର)- କବି ଚକ୍ରଧର ରାଉତ ସ୍ମୃତି ସଂସଦ ଆନୁକୂଲ୍ୟରେ କବିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଆଇ.ଏମ୍.ଏସ୍. ସଭାଗୃହରେ ୱେବିନାର ମାଧ୍ୟମରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସଭାକୁ ଉଦଘାଟନ କରିଥିଲେ । ନିଜର ଉଦଘାଟନୀ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ କବି ଚକ୍ରଧର ରାଉତଙ୍କ ସମ୍ପର୍କରେ କହିଥିଲେ ଯେ, ସେ ଜଣେ ସଫଳ ଶିକ୍ଷକ ଓ କବି ଭାବରେ ଯଶସ୍ୱୀର ଅଧିକାରୀ । ତାଙ୍କ କବିତାଗୁଡ଼ିକ ଯେତିକି ଆଲୋଚନା ହେବାକଥା ତାହା ହୋଇପାରିନାହିଁ । ଉତରପିଢୀ ଏହାକୁ ଏକ ଆହ୍ୱାନ ରୂପେ ଗ୍ରହଣ କରିବା ଉଚିତ୍ । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାହିତି୍ୟକ ଦାଶ ବେନହୁର ସ୍ୱର୍ଗତ କବିଙ୍କ ସହ ତାଙ୍କ ସମ୍ପର୍କର ସ୍ମୃତିଚାରଣ କରିଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ଓ ସାହିତ୍ୟ ସମାଲୋଚକ ଡକ୍ଟର ପ୍ରେମାନନ୍ଦ ମହାପାତ୍ର ସ୍ୱର୍ଗତ କବି ଚକ୍ରଧର ରାଉତଙ୍କ ବିଭିନ୍ନ କାଳଜୟୀ କୃତିଗୁଡ଼ିକର ନିରପେକ୍ଷ ସମୀକ୍ଷା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଗ୍ରଣୀ କଥାଶିଳ୍ପୀ ବିଜୟ ନାୟକ କବିଙ୍କୁ ମୂକ ଜନତାର ଭାଷା ବୋଲି ଅଭିହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି କବି ଗୋସ୍ୱାମୀ ଗୋଲାମ ଦେବତା ସ୍ୱର୍ଗତ କବି ଜଣେ ପ୍ରଚାର ବିମୁଖ ନିରବଚ୍ଛିନ୍ନ ସାଧକ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ସଭାପତୀୟ ଅଭିଭାଷଣରେ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ତଥା ସ୍ୱର୍ଗତ କବିଙ୍କ ଛାତ୍ର ଅବସର ବେଉରିଆ ଚକ୍ରଧର ରାଉତଙ୍କ ଶିକ୍ଷକ ଜୀବନ ଓ କବି ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଓ କବି ସୁରେନ୍ଦ୍ର ମିଶ୍ର ଏବଂ ପ୍ରାରମ୍ଭିକ ସୂଚନା ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ସ୍ମୃତି ସଂସଦର ସମ୍ପାଦକ ଦୟାନିଧି ରାଉତ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *