କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ଦୀର୍ଘ ୬ବର୍ଷ ପୁରଣ ପରେବି କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗରଦପୁର ବ୍ଲକ ଅଧିନସ୍ତ ବସନ୍ତପୁର ନଦୀବନ୍ଧ ଠାରୁ ଅଶୋକ ସାରଙ୍କ ଘର ପର୍ଯ୍ୟନ୍ତ ଓଡିଶା ଅନୁସୂଚିତ ଜନଜାତି ଉନ୍ନୟନ ଅର୍ଥ ସମବାୟ ନିଗମ ପ୍ରଦତ ଅନୁଦାନରେ ସିମେଂଟ କଂକ୍ରୀଟ ରାସ୍ତା ନିର୍ମାଣ ଶେଷକରିଥିଲେବି ସେବାବଦ ବିଲ ନପାଇବା ପ୍ରତିବାଦରେ ବସନ୍ତପୁର ଗ୍ରାମର କାର୍ଯ୍ୟନିର୍ବାହୀ ବଙ୍କିମ କିଶୋର ମହାନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ଶ୍ରୀ ମହାନ୍ତି ଗତ ୨୦୧୪ମସିହା ଜାନୁଆରୀମାସ ୧୩ତାରିଖରେ କାର୍ଯ୍ୟାଦ୍ଧେଶ ସଂଖ୍ୟା – ୧୦୬ରେ ୬ଲକ୍ଷ ୭୦ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ବସନ୍ତପୁର ନଦୀବନ୍ଧ ଠାରୁ ଅଶୋକ ସାରଙ୍କ ଘର ପର୍ଯ୍ୟନ୍ତ ସିମେଂଟ ଢଳେଇ ରାସ୍ତା ନିର୍ମାଣ କରିବାକୁ ଗରଦପୁର ବିଡିଓଙ୍କ ଠାରୁ କାର୍ଯ୍ୟାଦ୍ଧେଶ ପାଇଥିଲେ । ଗତ ୨୦୧୪ମସିହା ଜାନୁଆରୀମାସ ୨୨ତାରିଖରେ ସେହି ପ୍ରକଳ୍ପର କାର୍ଯ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ମହାନ୍ତି ସଂପୂର୍ଣ୍ଣ କରିଥିଲେବି ତାଙ୍କୁ ବ୍ଲକ ପକ୍ଷରୁ ବିଲ ପେମେଂଟ କରାଗଲା ନାହିଁ । ତେଣୁ ଶ୍ରୀ ମହାନ୍ତି ଗତ ୧୮.୦୪.୨୦୧୪ ରିଖରେ ଆଳି ବ୍ଲକରେ ହେଉଥିବା ଜିଲ୍ଲା ସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିରରେ ଏସମ୍ପର୍କରେ ତତକାଳୀନ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ୭ଦିନ ମଧ୍ୟରେ ସେହି ବିଲ ପେମେଂଟ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେବି ତାଙ୍କୁ କୈାଣସି ସୁଫଳ ମିଳିଲାନାହିଁ । ପରେ ଗତ ୨୦୧୬ମସିହା ଅପ୍ରେଲମାସ ୧୨ତାରିଖରେ ଜିଲ୍ଲାପାଳଙ୍କ କୋର୍ଟରେ ଶ୍ରୀ ମହାନ୍ତି ଏ ସମ୍ପର୍କରେ ଏକ ମିସକେଶ ଦାୟର କଲେ । ଏହାର ଶୁଣାଣି କରି ଜିଲ୍ଲାପାଳ ୭ଦିନ ମଧ୍ୟରେ ବିଲ ପେମେଂଟ କରିବାକୁ ଗରଦପୁର ବ୍ଲକ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ଏହା ପରେବି ବିଲ ପେମେଂଟ ହେଲା ନାହିଁ । ଚଳିତବର୍ଷ ଜାନୁଆରୀମାସ ୨୯ତାରିଖରେ ଶ୍ରୀ ମହାନ୍ତି ଗରଦପୁର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପରେ ୧୫ଦିନ ମଧ୍ୟରେ ତାଙ୍କର ବକେୟା ବିଲ ପେମେଂଟ ହେବ ବୋଲି ବିଡିଓ ପ୍ରତିଶୃତି ଦେବାରେ ସେ ଉଠିଯାଇଥିଲେ । କିନ୍ତୁ ବିଲ ପେମେଂଟ ନହେବାରୁ ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ଜିଲ୍ଲା ପ୍ରଶାସନ ଠାରୁ ପ୍ରତିଶୃତି ମିଳିବା ପରେ ସନ୍ଧ୍ୟାରେ ଶ୍ରୀ ମହାନ୍ତି ଅନଶନରୁ ଉଠିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର