ସଂଘର୍ଷମୟ ସାହିତ୍ୟିକଙ୍କ ଜୀବନ କାହାଣୀରେ ଭାବବିହ୍ଵଳିତ ହେଲେ ଉଭୟ ବକ୍ତା ଓ ଶ୍ରୋତା
ଭୁବନେଶ୍ୱର, ୨୧/୧୨/୨୦୨୦ ଗତକାଲି ନୂଆ ଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’, ଜଗତସିଂହପୁର ବିକାଶ ମଞ୍ଚ ଓ ମହାତ୍ମା ଗାନ୍ଧୀ ସର୍ବସାଧାରଣ ଜ୍ଞାନକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମାସିକ ବୁଦ୍ଧିଜୀବୀ ଆସର ‘ସ୍ମୃତି–ମୋ ମାଟିର‘ ତୃତୀୟ ଅର୍ଘ୍ୟରେ ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ ଶ୍ରୀ ଭାଗିରଥି ଦାସ ଯୋଗଦେଇ ତାଙ୍କର ନିଜ ମାଟି ସହିତ ଜଡ଼ିତ ସ୍ମୃତି ରୋମନ୍ଥନ କରିଥିଲେ । ଏହି ସାରସ୍ଵତ ଆସରରେ ଅଧ୍ୟକ୍ଷତା କରିଥିଲେ ଶିକ୍ଷାବିତ ସମାଜସେବୀ ଶ୍ରୀ ଦେବେନ୍ଦ୍ର ନାଥ ରାଉତ । ଜନ୍ମ ମାଟି ସହିତ ସମସ୍ତ ସଫଳ ବ୍ୟକ୍ତିତ୍ୱଙ୍କୁ ଯୋଡିବା ସହିତ ଆଗାମୀ ପିଢୀଙ୍କ ସମ୍ମୁଖରେ ତାଙ୍କ ପୂର୍ବଜ ମାନଙ୍କର କୃତିକୁ ସଠିକ ଭାବରେ ଉପସ୍ଥାପିତ କରି ସେମାନଙ୍କୁ ନିଜ ମାଟିର ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ କରିବାର ଲକ୍ଷ୍ୟରେ ଏହି ପ୍ରୟାସ କରାଯାଉଛି ବୋଲି ଶ୍ରୀ ରାଉତ ତାଙ୍କର ପ୍ରାରମ୍ଭିକ ସମ୍ଭାଷଣରେ ବ୍ୟକ୍ତ କରିଥିଲେ । ୫୦୦ ରୁ ଉର୍ଦ୍ଧ୍ବ ଉପନ୍ୟାସ, ୨୫ ଟି ନାଟକ, ୧୫ଟି ଗଳ୍ପ ସଂକଳନ ଓ କିଛି ସଫଳ ଓଡିଆ ଚଳଚ୍ଚିତ୍ରରେ କାହାଣୀ ରଚନାକରି ୮୦ ଓ ନବେ ଦଶକରେ ସର୍ବାଧିକ ଲୋକପ୍ରିୟ ଓଡିଆ ଔପନ୍ୟାସିକ ଶ୍ରୀ ଭାଗିରଥି ଦାସ ତାଙ୍କ ଜୀବନର ସଂଘର୍ଷ ପୂର୍ଣ୍ଣ କାହାଣୀ ବର୍ଣ୍ଣନା କଲାବେଳେ ସେ ନିଜେ ଭାବବିହ୍ଵଳ ହୋଇ ଯାଇଥିଲେ ଓ ସମସ୍ତ ଦର୍ଶକ କିଛି ସମୟପାଇଁ ନିର୍ବାକ ହୋଇ ଯାଇଥିଲେ । ସାହିତ୍ୟ ଓ ତାଙ୍କ ଜୀବନ ଏକ ଏବଂ ଅଭିନ୍ନ ବୋଲି କହିବା ସହିତ ସମାଜ ସାହିତ୍ୟ ଠାରୁ ଦୂରେଇ ଗଲେ ଆଗାମୀ ପିଢୀ ପଥ ଭ୍ରଷ୍ଟ ହେବାର ଯଥେଷ୍ଟ ସମ୍ଭାବନ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଆସରରେ ଅନ୍ୟତମ ଅତିଥି ଯୁବ ସାହିତ୍ୟିକ ତଥା ଶିକ୍ଷାବିତ ଶ୍ରୀ ଶକ୍ତି ମହାନ୍ତି ଯୋଗଦେଇ ଶ୍ରୀ ଦାସଙ୍କ ଜୀବନ ସାହିତ୍ୟି ପାଇଁ ଏକ ସଂଘର୍ଷର ପ୍ରତିଫଳନ ବୋଲି ପ୍ରକାଶ କରିବା ସହିତ ଶ୍ରୀ ଦାଶଙ୍କ ସମସ୍ତ କୃତକୁ ସରଂକ୍ଷିତ କରିବାର ପ୍ରୟାସ କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲେ । ଏହି ଆସରରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଆକାଶ ବାଣୀର ଯୁବ କଳାକାର ରବିନାରାୟଣ ଷଡଙ୍ଗୀ, ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ । ଏହି ଅବସରରେ ଆୟୋଜିତ କବିତା ଆସରକୁ ସଂଚାଳନ କରିଥିଲେ ଯୁବ କବି ଡଃ ତୃପ୍ତି ରଞ୍ଜନ ଦାସ । ଏହି କବିତା ସନ୍ଧ୍ୟାରେ ୩୦ ରୁ ଉର୍ଦ୍ଧ୍ବ ପ୍ରବୀଣ ଓ ନବୀନ କବି ସ୍ଵରଚିତ କବିତା ଆବୃତି କରିଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀ ଜୀବନାନଂଦ ଅଧିକାରୀ, ଇନ୍ଦୁପ୍ରଭା ବିଶ୍ବାଳ, ମହାସ୍ମିତା ଓଝା, ରାଜଶ୍ରୀ ସ୍ବାଇଁ, ଇନ୍ଦ୍ର ବଦଳ ମହାନ୍ତି, ବିଷ୍ଣୁ ଚରଣ ଚାଟୋଇ, ଶ୍ରୀସିକ୍ତା ଶୁଭଦର୍ଶିନୀ, ସଙ୍ଗୀତା ପଣ୍ଡା, ଗୀତା ଦାସ, ପଣ୍ଡିତ ନାଗୁଚରଣ ଦେବତା ପ୍ରମୁଖ ଅଟନ୍ତି । ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଅନେକ ବୁଦ୍ଧିଜୀବୀ ଏହି ଆସରରେ ଯୋଗଦେଇ ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଓଡ଼ିଶା ସମାଚାର