କେନ୍ଦ୍ରାପଡା, ୨୧/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା କରାଯିବା ନିମନ୍ତେ କେନ୍ଦ୍ରାପଡା ସଚେତନ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସୋମବାର ଏକ ସ୍ମାରକପତ୍ର ମଂଚର ସଭାପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ପ୍ରତାପ ମହାପାତ୍ର ଏବଂ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଓଡିଶାର ବହୁ ଚର୍ଚ୍ଚିତ ତଥା ସମ୍ମାନଜନକ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏବଂ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମୀ ହୋଇଥିଲେବି ଏଠାରେ ଅଦ୍ୟାବଧି ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା ହୋଇପାରିଲା ନାହିଁ । ବିଜୁବାବୁଙ୍କ ପାଇଁ କେନ୍ଦ୍ରାପଡା ସାରା ଦେଶରେ ତା’ର ସୁନାମ ଆଣିଥିଲେବି ଏହା ଚରମ ଅବହେଳାର ଶିକାର ହୋଇଆସୁଛି । ବିଜୁବାବୁଙ୍କ ପରଲୋକ ପରେ କେନ୍ଦ୍ରାପଡାର ଯେଉଁ ବିରାଟ କ୍ଷତି ହୋଇଛି ତାହା ପୁରଣ ହେବା ସମ୍ଭବ ହୋଇନି । କେନ୍ଦ୍ରାପଡାର ଲୋକମାନେ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ହୋଇଥିବା ବେଳେ ମରୁଡି, ବନ୍ୟା ଓ ବାତ୍ୟା ଏହି ଉପକୂଳ ଓଡିଶା ପାଇଁ ଏକ ସବୁଦିନିଆ ସମସ୍ୟା । ଏ ଅଂଚଳର ବହୁ ଲୋକ ସେମାନଙ୍କ ଜୀବନଜୀବିକା ପାଇଁ ନିଜ ଗ୍ରାମ ଓ ପରିବାର ଛାଡି ଦେଶର ବିଭିନ୍ନ ରାଜ୍ୟକୁ ଯାଇ ଶ୍ରମଜୀବି ଭାବେ ଜୀବିକା ନିର୍ବାହ କରିଥାନ୍ତି । ଏହିମାନଙ୍କ ପରିବାର ନିମନ୍ତେ ଏଠାରୁ ୮୦କିଲୋମିଟର ଦୂର କଟକର ସୁପର ହସପିଟାଲ ଉପରେ ନିର୍ଭର କରିଥାନ୍ତି । କେନ୍ଦ୍ରାପଡା ପାରାଦୀପ ତଥା ସାରା ବିଶ୍ୱର ମୁଖ୍ୟ ଜଙ୍କସନ ହୋଇଥିବା ବେଳେ ଏହି ଜିଲ୍ଲା ଭିତର ଦେଇ ୫ନମ୍ବର(କ) ଜାତୀୟ ରାଜପଥ ଏବଂ ଅନ୍ୟ ରାସ୍ତା ଗୁଡିକ ଦେଇ ଭାରିଯାନ ଚଳାଚଳ ହେତୁ ଅନେକ ସମୟରେ ଦୂର୍ଘଟଣାର ସମ୍ମୁଖିନ ହୋଇ ଏ ଅଂଚଳର ଲୋକମାନଙ୍କ ଜୀବନ ଚାଲିଯାଇଥାଏ କେବଳ ଆବଶ୍ୟକ ମେଡିକାଲ ଚିକିତ୍ସା ନମିଳିବାରୁ । ଜିଲ୍ଲାର ପାଶ୍ୱର୍ବର୍ତୀ ଜିଲ୍ଲା ଗୁଡିକରେ ଥିବା କ୍ଷୁଦ୍ର ଶିଳ୍ପ ଦ୍ୱାରା ଏ ଅଚଂଳର ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରଦୁ୍ୟଷଣ ଜନିତ କାରଣରୁ କ୍ଷତିର ସମ୍ମୁଖିନ ହୋଇଥାଏ । ଭୈାଗଳିକ ଦୃଷ୍ଟିକୋଣରୁ ଏହି ଜିଲ୍ଲା ଏକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସହର ଯାହାକି ରାଜ୍ୟ ଏବଂ ରାଜ୍ୟ ବାହାରର ଶିଳ୍ପ ସମୃଦ୍ଧ ଅଂଚଳକୁ ସଂଯୋଗ କରିଥାଏ । ବର୍ତମାନ ସମୟରେ କେନ୍ଦ୍ରାପଡାକୁ ମେଡିକାଲ କଲେଜର ଜରୁରୀ ଆବଶ୍ୟକତା ରହିଥିବା ବେଳେ ଏବଂ ଏ ଅଂଚଳର ପ୍ରମୁଖ୍ୟ ତଥା ନିତ୍ୟାନ୍ତ ଆବଶ୍ୟକତା ହେଉଛି ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା । ଏହା ଏବେ ଇକୋ – ଟୁରିଜିମର ଏକ ପ୍ରମୁଖ ଜଙ୍କସନ ହୋଇଥିବା ବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକ ତଥା ପ୍ରମୁଖ ବ୍ୟକ୍ତି ଓ ସାଧାରଣ ଲୋକମାନଙ୍କ ପାଇଁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର କୈାଣସି ସୁବିଧା ସୁଯୋଗ ନାହିଁ । ଏଠାରେ ବହୁ ମେଧାବୀ ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷା ପାଇଁ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଉଦେଶ୍ୟରେ ବହୁ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ବର୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେବଳ ଜୀବନ ରକ୍ଷା ପାଇଁ ନୁହେଁ ଏଅଚଂଳର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଶାକାର କରିବା ନିମନ୍ତେ ଏଠାରେ ଏକ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଂଚ ଦାବି କରିଛି । ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଗଲେ କେନ୍ଦ୍ରାପଡାକୁ ଏକ ଉନ୍ନତମାନର ସହର ଓ ଜିଲ୍ଲାରେ ପରିଣତ କରିବା ସହ ସମସ୍ତ ଆଧୁନିକ ଧରଣର ବ୍ୟବସ୍ଥା ଏଠାରେ ପ୍ରତିଷ୍ଠା କରାଯିବାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ସମ୍ଭବ ହୋଇପାରିବ ବୋଲି ମଂଚ କହିଛି । ଗତ ୨୦ବର୍ଷ ମଧ୍ୟରେ ରାଜ୍ୟର ବିଜେଡି ସରକାର କେନ୍ଦ୍ରାପଡାର ବହୁବିଧ ଉନ୍ନୟନ କରିଥିବା ବେଳେ କେନ୍ଦ୍ରାପଡାର ଲୋକମାନଙ୍କ ଭରଶା ଓ ବିଶ୍ୱାସକୁ ରକ୍ଷା କରି ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ମଂଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷାବୀତ ପ୍ରଣବ କୁମାର ଜେନା, ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ, ପରିବେଶବିତ କାଶିନାଥ ରାଉତରାୟ, ପରେଶ ଦାସ, ସମାଜସେବୀ ଅଭିମନୁ୍ୟ ରାଉତ, ମରୁତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର