୧୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ – ପୋକରା ଚାଉଳ, ଫର୍ଟିଲାଇଜର୍ ଓ ଆମୋନିୟମ୍
ବାଇକାର୍ବୋନେଟ୍ ରୁ ତିଆରି ହେଉଛି ସୋୟାବିନ ବଡ଼ି
କଟକ,୨୦/୧୨/୨୦୨୦(ଓଡ଼ିଶା ସମାଚାର)- ବଜାରରେ ଯେଉଁଠି ହାତ ମାରିବେ ସବୁ ଭେଜାଲ ଓ ନକଲି । ମୁନାଫାଖୋର ବ୍ୟବସାୟୀ ବଢ଼ାଇ ଚାଲିଛନ୍ତି ସେମାନଙ୍କ ଆୟ । ସାଧାରଣ ଖାଉଟି ଜାଣିାରୁନି ଅସଲି ଓ ନକଲି ମଧ୍ୟରେ ପାର୍ଥକ୍ୟ । ଏ ସବୁକୁ ଠାବ କରିବା ପାଇଁ ଥିବା ମାର୍କେଟିଂ ଇଂଟେଲିଜେନ୍ସ ବିଭାଗ ପକ୍ଷରୁ ନିଆଯାଉନି ଆବଶ୍ୟକୀୟ ପଦକ୍ଷେପ । ଫଳରେ ସାଧାରଣ ଜନତା ଅସଲି ଦାମ୍ ଦେଇ କିଣୁଛି ନକଲି ସାମଗ୍ରୀ । ନକଲି ଓ ଭେଜାଲ ଖାଦ୍ୟ ସାମଗ୍ରୀ ଖାଇବା ଦ୍ୱାରା ରୋଗକୁ କିଣୁଛନ୍ତି । ବିଗତ କିଛି ଦିନ ଧରି ନିୟମିତ ଭାବେ କମିଶନରେଟ୍ ପୁଲିସ ପକ୍ଷରୁ ଚଢ଼ଉ ଜାରିରହିଛି । ନକଲି ସିମେଂଟ, ନକଲି ସସ୍, ନକଲି ଘିଅ, ନକଲି ଜର୍ଦ୍ଧା ପରେ ଠାବ ହୋଇଛି ନକଲି ସୋୟାବିନ ବଡ଼ି କାରଖାନା । ଶନିବାର ଜଗତପୁର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଶିଳ୍ପାଂଚଳରେ ଚଢ଼ଉ କରାଯାଇ ଏକ ନକଲି ସୋୟାବିନ ବଡ଼ି କମ୍ପାନୀ ଠାବ କରାଯାଇଛି । ଏଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି । ଜଗତପୁର ଥାନାଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କ ସୂଚନା ମୁତାବକ ଶିଳ୍ପାଂଚଳର ଫେଜ ୨ରେ ଥିବା ଆର ଏନ ମିଲସରେ ନକଲି ସୋୟାବିନ୍ ବଡ଼ି ତିଆରି ହେଉଥିବା ସମ୍ପର୍କରେ ଗୁପ୍ତ ଖବର ମିଳିଥିଲା । ତଦନୁଯାୟୀ ଏସିପିି ଅମରେନ୍ଦ୍ର ପଣ୍ଡା, ଥାନାଧିକାରୀ ଶ୍ରୀ ମେହେର ଓ ମାଲଗୋଦାମ ଥାନାଧିକାରୀ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା । ସେଠାରୁ ପ୍ରସ୍ତୁତ ହୋଇରହିଥିବା ୨୦ କିଲୋଗ୍ରାମର ପ୍ରାୟ ୬୦୦ରୁ ଅଧିକ ପ୍ୟାକେଟ୍ ସୋୟାବିନ ବଡ଼ି ମିଳିଥିଲା । ଏଗୁଡ଼ିକୁ ପୋକରା ଚାଉଳ ଗୁଣ୍ଡ, ଫର୍ଟିଲାଇଜର, ଆମୋନିଅମ ବାଇକାର୍ବୋନେଟରୁ ପ୍ରସ୍ତୁତ କରାଯାଉଥିଲା । ଏହା ସ୍ୱାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ । ଏହି କମ୍ପାନୀର ନା ପଞ୍ଜିକରଣ ପ୍ରମାଣପତ୍ର ରହିଛି ନା ଅଛି ଟ୍ରେଡ ଲାଇସେନ୍ସ ଓ ଖାଦ୍ୟ ନିରାପତା ପ୍ରମାଣ ପତ୍ର । ଲକ୍ଷ୍ମୀ, ମେହେକ, କାକା ଆଦି ବ୍ରାଣ୍ଡରେ ନିର୍ମିତ ସୋୟାବିନଗୁଡ଼ିକୁ ବଜାରରେ ବିକ୍ରି କରାଯାଉଥିଲା । ନାମୀ ଦାମୀ କମ୍ପାନୀର ବଡ଼ି ବଜାରରେ କିଲୋଗ୍ରାମ ପିଛା ୨ ଶହ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଏହାକୁ ସେମାନେ ମାତ୍ର ୪୦/୫୦ ଟଙ୍କାରେ ଦୋକାନୀମାନଙ୍କୁ ବିକ୍ରି କରୁଥିଲେ । କମ୍ପାନୀର ମାଲିକ ପବନ ଅଗ୍ରୱାଲ ଓ କର୍ମଚାରୀ ଅଶୋକ ସିଂହକୁ ପୁଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ଗତ ୨ ମାସ ମଧ୍ୟରେ ୧୮ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇ ୬ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ବେଳେ ୨୨ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାସରିଛି । ଓଡ଼ିଶା ସମାଚାର