ଭୁବନେଶ୍ୱରରୁ ଚାଲି ଚାଲି ଯଦୁୁପୁର ଯିବ ରାଜ୍ୟ ବିଜେପି ଟିମ୍
ଭୁବନେଶ୍ୱର, ୨୦/୧୨/୨୦୨୦ (ଓଡ଼ିଶା ସମାଚାର)- ପରୀ ଅପହରଣ ଏବଂ ହତ୍ୟା ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲ୍ାଇଛି ବିଜେପି । ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ ଧାରଣା ଚାଲିଥିବାବେଳେ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ଦଳ ପଦଯାତ୍ରା ଆରମ୍ଭ କରିସାରିଛି । ରାଜ୍ୟରେ ୫ ହଜାରରୁ ଉଦ୍ଧ୍ୱର୍ ଶିଶୁ ନିଖୋଜ ହେବା ଘଟଣା ଏବଂ ପରୀ ପାଇଁ ନ୍ୟାୟର ଲଢ଼େଇକୁ ଆହୁରି ଜୋରଦାର କରିବା ଲାଗି ପୂର୍ବଘୋଷଣା ମୁତାବକ ରବିବାର ରାଜଧାନୀ ଭୁବନେଶ୍ୱରରୁ ପରୀର ଗାଁ ଯଦୁୁପୁର ଯାଏଁ ବିଶାଳ ପଦଯାତ୍ରା ବାହାର କରିବ ଦଳ । ଏଥିରେ ଯୋଗଦେବା ଲାଗି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ ଭନିତା ଶ୍ରୀନିବାସନ ଭୁବନେଶ୍ୱରରେ ଆସି ପହଂଚିଛନ୍ତି । ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପଦଯାତ୍ରାର ସବିଶେଷ ସୂଚୀ ପ୍ରଦାନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଡ. ଯତୀନ ମହାନ୍ତି । ରବିବାର ଲିଙ୍ଗରାଜ ମନ୍ଦିର ନିକଟରୁ ପୂର୍ବାହ୍ନ ୯ଟାରେ ପଦଯାତ୍ରା ବାହାରିବାର କାର୍ଯ୍ୟକ୍ରମ ଥିଲା । ତେବେ ଏଥିରେ ଟିକ୍ୟେ ବିଳମ୍ବ ହୋଇଛି । ଆଉ ଅଳ୍ପ ସମସୟ ପରେ ଏହି ପଦଯାତ୍ରା ଆରମ୍ଭ ହେବ । ମୋଟ ପାଂଚଦିନ ଯାଏଁ ଏହା ଚାଲିବ । ପର୍ଯ୍ୟାୟକ୍ରମେ ଦଳର ଶୀର୍ଷ ନେତୃତ୍ୱ ଏଥିରେ ସାମିଲ ହୋଇ ମୋଟ ୯୮କି.ମି ପଦଯାତ୍ରା କରି ଶେଷ ଦିନରେ ପରୀର ଗାଁ ଯଦୁୁପୁରରେ ପହଂଚିବେ । ସମସ୍ତେ ଦିନକୁ ପାଖାପାଖି ୨୦କି.ମି ଚାଲିବେ । ପ୍ରଥମ ଦିନରେ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହୋଇ ଜାଆଁଳା ପର୍ଯ୍ୟନ୍ତ ଯିବ । ସେହିପରି ଦ୍ୱିତୀୟ ଦିନରେ ଜାଁଳାରୁ ସାରୁଅ, ତୃତୀୟ ଦିନରେ ସାରୁଅରୁ ବୋଲଗଡ଼, ଚତୁର୍ଥ ଦିନରେ ବୋଲଗଡ଼ରୁ ଇଟାମାଟି ଏବଂ ଶେଷ ତଥା ପଂଚମ ଦିନରେ ଇଟାମାଟିରୁ ପରୀର ଗାଁ ଯଦୁୁପୁରଠାରେ ପହଂଚିବ । ଶେଷ ଦିନରେ ସମସ୍ତଙ୍କ ଉପସ୍ଥିତିରେ ଯଦୁପୁରରେ ବଡ଼ ସଭା ଅନୁଷ୍ଠିତ ହେବାସହ ପରୀର ବାପା, ମା’ଙ୍କୁ ସାକ୍ଷାତ କରାଯିବ ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନ ଏକ ଜନସଚେତନତା ଆନ୍ଦୋଳନ ହେବ ଏବଂ ଏହି ଆନ୍ଦୋଳନରେ ସମାଜର ସମସ୍ତ ବର୍ଗ, ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା ଏବଂ ବିଭିନ୍ନ ବର୍ଗର ନେତୃବୃନ୍ଦଙ୍କ ସହ ସାଧାରଣ ଜନତା ସାମିଲ ହେବା ପାଇଁ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଓଡ଼ିଶା ସମାଚାର