କେନ୍ଦ୍ରାପଡା, ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ମହାନଦୀ ମୁହାଣ ନିକଟସ୍ଥ ଆଖଡାଶାଳିର ପ୍ରସ୍ତାବିତ ନଦୀ ଭିତିକ ବନ୍ଦରସ୍ଥଳକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଆଜି ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ । ୪ହଜାର କୋଟି ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁଥିବା ଏହି ନଦୀଭିତିକ ବନ୍ଦର ସ୍ଥାପନ ହେଲେ ଏଠାରେ ୬ହଜାର ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିଯୁକ୍ତି ପାଇବାର ସୁଯୋଗ ରହିଛି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନଦୀ ଭିତିକ ମନ୍ଦିର ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ପରବର୍ତୀ ସମୟରେ ଏ ସମ୍ପର୍କରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ସାଧାରଣରେ ଏହା ଏକ ନିର୍ବାଚନୀ ଧୁଆଁବାଣ ବୋଲି ଆଲୋଚନା ମଧ୍ୟ ହେଉଥିଲା । କିନ୍ତୁ ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ପ୍ରସ୍ତାବିତ ନଦୀ ଭିତିକ ବନ୍ଦର ସ୍ଥଳରେ ପହଁଚି ପରିଦର୍ଶନ କରିବା ଦ୍ୱାରା ଲୋକଙ୍କ ମନରେ ପୁଣି ଏଠାରେ ବନ୍ଦର ନିର୍ମାଣ ହେବାର ଆଶା ସଂଚରିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ପ୍ରାୟ ୪ହଜାର କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ କେନ୍ଦ୍ରାପଡା ଜିଲ୍ଲାର ଆଖଡାଶାଳୀ ଠାରେ ମହାନଦୀ ମୁହାଣରେ ଏକ ନଦୀ ଭିତିକ ବନ୍ଦର ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁ ବନ୍ଦର ଦେଇ ବାର୍ଷିକ ପ୍ରାୟ ୫୪ମେଟ୍ରିକ ଟନ ପଣ୍ୟ ଦ୍ରବ୍ୟ କାରବାର କରିବାର ସୁଯୋଗ ସୃଷ୍ଟି ହୋଇପାରିବ । ଏହି ବନ୍ଦର ନିର୍ମାଣ ପରେ ଏଠାରେ ପ୍ରାୟ ୬ହଜାର ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆକଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ବନ୍ଦର,ଯାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଏହି ନଦୀ ଭିତିକ ବନ୍ଦର ପ୍ରସ୍ତାବ ଉପରେ ମୋହର ମାରିବା ପରେ ଏବେ ଚଳଚଂଚଳ ହୋଇଉଠିଛନ୍ତି ରାଜ୍ୟ ସରକାର । ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏଠାରେ ବନ୍ଦର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷର କରିବା ଅପେକ୍ଷାରେ ଅଛନ୍ତି । ଏହି ଆଖଡାଶାଳୀ ନଦୀ ଭିତିିକ ବନ୍ଦର ମହାନଦୀର ସମୁଦ୍ର ମୁହାଣ ଠାରୁ ପ୍ରାୟ ୧୩କିଲୋମିଟର ଦୂରରେ ଅବସ୍ଥିତ । ପିପିପି ମୋଡରେ ଏହି ବନ୍ଦର ନିର୍ମାଣ କରାଯିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ବେଳେ ପାରାଦୀପ ବନ୍ଦର ଟ୍ରଷ୍ଟ ଏହି ବନ୍ଦର ନିର୍ମାଣ ପାଇଁ ରେଳପଥ,ସଡକପଥ ଓ ନଦୀକୁ ଖନନ କରିବା ପାଇଁ ଯାନ୍ତ୍ରୀକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଜଣାପଡିଛି । ରାଜ୍ୟ ସରକାର ଏହି ବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ହେବାକୁଥିବା ୩ଶହ ଏକର ଜମି ଯୋଗାଇଦେବେ । ଏହି ବନ୍ଦରକୁ ଓ ବନ୍ଦର ବାହାରକୁ ଆମଦାନୀ ଓ ରପ୍ତାନୀ ନିମନ୍ତେ ପଣ୍ୟ ଦ୍ରବ୍ୟ ପରିବହନ ପାଇଁ ହରିଦାସପୁର – ପାରାଦୀପ ରେଳପଥକୁ ବ୍ୟବହାର କରାଯିବାର ଯୋଜନା ରହିଛି । ଗତ ୨୦୧୮ମସିହାରେ ପ୍ରସ୍ତାବୀତ ଏହି ନଦୀ ଭିତିକ ବନ୍ଦର ପାଇଁ ଉପଯୁକ୍ତ ଠିକାସଂସ୍ଥା ନମିଳିବାରୁ ଏହା କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ଠାରୁ ସବୁଜ ସେଙ୍କତ ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଦେଖାଯାଇଛି । ବର୍ଷସାରା କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ବନ୍ଦର ବିଭିନ୍ନ ପ୍ରକାରର ପଣ୍ୟଦ୍ରବ୍ୟ କାରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପ୍ରସ୍ତାବୀତ ନଦୀ ଭିତିକ ବନ୍ଦର ଆଖଡାଶାଳୀରେ ଭିତିଭୂମିର ସମୀକ୍ଷା କରିବା ପାଇଁ ପହଁଚିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପରିବହନ ସଚିବ ମନୋଜ ମିଶ୍ରା ପ୍ରମୁଖ ଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିେଙ୍କଶ ରାୟ ପୋର୍ଟର ଅନ୍ୟ ବରିଷ୍ଠ ଅଧିକାରୀମାନେ । ପାରାଦୀପ ଠାରୁ ମହାନଦୀର ଜଳପଥରେ ମଟର ଲଂଚ ଯୋଗେ ଆଖଡାଶାଳୀରେ ପହଁଚି ଭିତିଭୂମୀର ସମୀକ୍ଷା କରିଥିଲେ ଏହି ପ୍ରତିନିଧି ମଣ୍ଡଳୀର ବରିଷ୍ଠ ଅଧିକାରୀମାନେ । ଏଥିସହିତ ପ୍ରତିନିଧିମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର ପଂଚାୟତର ବାହାକୁଦ ଜେଠୀରେ ପହଁଚି ଲଂଚରୁ ଓହ୍ଲାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ବନ୍ଦର ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀ ସହିତ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ନରହରୀ ସେଠୀ,ମହାକାଳପଡା ତହସିଲଦାର,ବିଡିଓ ପ୍ରଭୃତି ଉପସ୍ଥିତ ରହି ପ୍ରସ୍ତାବୀତ ନଦୀ ଭିତିକ ବନ୍ଦରର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଘଟଣାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ନୂତନ ବନ୍ଦର ସ୍ଥାପନା ହେବାର ଆଶା ସଂଚାରିତ ହୋଇଥିବା ଜଣାପଡିଛି । ଓଡ଼ିଶା ସମାଚାର
Home / ବିଶେଷ / ଆଖଡାଶାଳୀର ପ୍ରସ୍ତାବିତ ନଦୀଭିତିକ ବନ୍ଦରସ୍ଥଳକୁ ପରିଦର୍ଶନକଲେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ