କମାଗୁୁରୁ ପଂଚାୟତ କାଜୁ ଚାରାରୋପଣ ଅନ୍ୟ ପଂଚାୟତ ପାଇଁ ପ୍ରେରଣା
ନିରାକାରପୁର, ୧୮/୧୨/୨୦୨୦(ଓଡ଼ିଶା ସମାଚାର)- ଜଳ ବିଭାଜିକା ଓ ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ପଂଚାୟତରେ ହୋଇଥିବା କାଜୁ ଚାରାରୋପଣ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏହିସବୁ ପ୍ରକଳ୍ପ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟରେ ହୋଇଥିବାବେଳେ ଜବକାର୍ଡ଼ଧାରୀମାନେ କାମ ପାଇବା ସହ ପ୍ରକଳ୍ପ ମାଧ୍ୟମରେ ଗ୍ରାମବାସୀ ଭଲ କାଜୁ ଉତ୍ପାଦନ ସମ୍ଭାବନା ସୃଷ୍ଟି କରିଛି । ଏହା ବ୍ୟତିତ ମୃତିକା ସଂରକ୍ଷଣରେ ସାହାଯ୍ୟ କରିବା ସହ ଜଳ ସଂରକ୍ଷଣ ମଧ୍ୟ ହେବା ପାଇଁ ଲକ୍ଷ୍ୟ ରଖାଯାଉଛି । ବର୍ତମାନ କମାଗୁରୁ ପଂଚାୟତରେ କାଜୁ ଚାରାରୋପଣ ଦୁଇଟି ପ୍ରକଳ୍ପ ଚାଲୁଥିବାବେଳେ ଗୋଟିଏ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଶେଷ ହେବାକୁ ଯାଉଛି ଆଉ ଗୋଟିଏ ଦୁଇବର୍ଷରେ ପହଂଚିଛି ।ଦୁଇଟି ଯାକ ପ୍ରକଳ୍ପ ୧୦ ହେକ୍ଟର ପରମିତ ଜମିରେ କାର୍ଯ୍ୟକାରୀ ହେଉଥିବାବେଳେ ବିଭାଗୀୟ ସୁପରିଚାଳନା ଯୋଗୁ ଦୁଇଟି ଯାକ ପ୍ରକଳ୍ପ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଉକ୍ତ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ବେଲପଦାରେ ମିଳିତଭାବେ ଏମଜିଏନଆରଜିଏସ ମାଧ୍ୟମରେ ୧୮ଲକ୍ଷ ଟଙ୍କା ବ୍ୟୟ ବରାଦରେ ଜଳ ବିଭାଜିକା ଓ ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା ୪ଟି ଭାଗରେ ପର୍ଯ୍ୟାୟକ୍ରମେ ୧୦ ହେକ୍ଟର ଜାଗାରେ ୨ହଜାର କାଜୁ ଚାରାରୋପଣ ରୋପଣ କରାଯାଇଥିଲା । ମଜୁରୀ ବାବଦକୁ ଯେତିକି ଟଙ୍କା ଜବକାର୍ଡ଼ଧାରୀଙ୍କ ବ୍ୟାଙ୍କଖାତାକୁ ଯାଉଥିବାବେଳେ ବାଡ଼ବନ୍ଦୀ,ଖତ,ସାର ,ଜାଲ ପାଇଁ ଅନ୍ୟାନ୍ୟ ଅର୍ଥ ଲାଗିଛି । ଏହି ପ୍ରକଳ୍ପ ମଧ୍ୟ ଭାଗ ଖୋଲା ଜାଗାରେ ବାଇଗଣ,ବିରି,ମୁଗ ପ୍ରଭୃତି ମିଶ୍ରିତ ଚାଷ କରାଯାଇ ମାଟିର ଉର୍ବରତା ବଢାଇବା ସହ ମୃତିକା ଓ ଜଳ ସଂରକ୍ଷଣ କରାଯାିଇ ପାରିଛି । ଗତ ଫନି ବାତ୍ୟାରେ ବହୁ ସଂଖ୍ୟାରେ କାଜୁ ଗଛ ଉପଡ଼ିବା ପରେ ନୂତନ କରି ବହୁ ସଂଖ୍ୟାରେ ଚାରାରୋପଣ ପୁନର୍ବାର କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ବିଭିନ୍ନ ସମୟରେ ଏହି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ପରିଦର୍ଶନରେ ଆସି କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ ମଧ୍ୟ କରିଛନ୍ତି ।
ସରକାର ବର୍ତମାନ ସିଧାସଳଖ ଶ୍ରମିକମାନଙ୍କ ଖାତାକୁ ମଜୁରୀ ଛାଡ଼ି କାମ ଯୋଗାଇବାକୁ ପ୍ରାଧାନ୍ୟ ଦେଉଥିବାବେଳେ କିଛି ଖଳ ପ୍ରକୃତିର ବ୍ୟକ୍ତି ଏହି ସବୁ କାର୍ଯ୍ୟରେ ପ୍ରତିବଦ୍ଧକ ସୃଷ୍ଟି କରୁଥିବା ଓ ରାଜନୈତିକ ଉଦ୍ଧେଶ୍ୟ ଓ ଅର୍ଥ ଲାଳସାରେ ହୀନ ଚକ୍ରାନ୍ତ କରି ପ୍ରକଳ୍ପଗୁଡ଼ିକ ଅଧାରେ ବନ୍ଦ କରିବାକୁ ଅପଚେଷ୍ଟା କରୁଥିବା କଥା ଉକ୍ତ ପଂଚାୟତ ସରପଂଚ ମନୋରଞ୍ଜନ ଚମ୍ପତି କହିଛନ୍ତି । ସେହିପରି ଟାଙ୍ଗୀ ବ୍ଲକର କମାଗୁରୁ ପଂଚାୟତ ଅଧୀନସ୍ଥରେ ଚାଲିଥିବା ଜଗନ୍ନାଥପୁର ଓ କମାଗୁରୁ କାଜୁ ପ୍ରକଳ୍ପ କାର୍ଯ୍ୟ ଉନ୍ନତମାନର ହୋଇଥିବା କଥା ଦାୟିତ୍ୱରେ ଥିବା ଜଳ ବିଭାଜିକା କନିଷ୍ଠ ଯନ୍ତ୍ରୀ ଜି. ମାନସୀ ମହାପାତ୍ର ସୂଚନା ଦେଇଥିବାବେଳେ ଏହି ଦୁଇଟି ପ୍ରକଳ୍ପ ଅନ୍ୟ ପଂଚୟତଗୁଡ଼ିକ ପାଇଁ ପ୍ରେରଣା ହେଉ ବୋଲି କହିଛନ୍ତି । ଓଡ଼ିଶା ସମାଚାର