Tuesday , October 26 2021
Breaking News
Home / ସ୍ୱାସ୍ଥ୍ୟ / ଅସ୍ୱାସ୍ଥ୍ୟକର ପରିବେଶରେ ନୂଆବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅସ୍ୱାସ୍ଥ୍ୟକର ପରିବେଶରେ ନୂଆବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଖୋର୍ଦ୍ଧା,୧୮/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରର ନାମ ରଖାଯାଇଛି ‘ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର’ । ଏହା ତଳକୁ ଛୋଟ ଛୋଟ ଅକ୍ଷରରେ ଲେଖାଯାଇଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୂଆବନ୍ତ, ଜି- ଖୋର୍ଦ୍ଧା । ଏହି ଲେଖାକୁ ଦେଖି ଯେକେହି ଅନୁମାନ କରିପାରିବ ସ୍ୱାସ୍ଥ୍ୟକେନ୍ଦ୍ରଟିର ଅବସ୍ଥା କେତେ ଶୋଚନୀୟ ହୋଇପଡ଼ିଛି । ଉତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ପଂଚାୟତ ଯଥା: କଲ୍ୟାଣପୁର, ବରିମୁଣ୍ଡ, ଦାଢ଼ା, କଳାରାହାଙ୍ଗ, ରଘୁନାଥପୁର ପଂଚାୟତର ଲୋକଙ୍କ ସ୍ୱାସ୍ଥ୍ୟସେବା ଉଦ୍ଧେଶ୍ୟରେ ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟିକୁ ସ୍ଥାପନ କରାଯାଇଥିଲା, ଯାହା ଏବେ ମୂଳ ଉଦ୍ଧେଶ୍ୟଠାରୁ ଦୂରେଇ ଗଲା ଭଳି ମନେ ହେଉଛି ।
ପ୍ରକାଶ ଯେ ବରିମୁଣ୍ଡ ପଂଚାୟତର ଟାଙ୍ଗିବନ୍ତ ଗ୍ରାମ ସନ୍ନିକଟ କଲ୍ୟାଣପୁର ପଂଚାୟତର ନୂଆବନ୍ତ ମୌଜାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶକୁ ନଜର ପକାଇଲେ ଏହା ଏକ ପରିତ୍ୟକ୍ତ ଭୂତକୋଠୀର ଭ୍ରମ ସୃଷ୍ଟି କରୁଛି । ସ୍ୱାସ୍ଥ୍ୟକେନ୍ଦ୍ରଟିର ୪ପଟେ ସୁରକ୍ଷା ପ୍ରାଚିର ନଥିବାବେଳେ ଏହାର ପରିସର ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ପୂରିରହିଛି । ଚାରିଆଡ଼େ ଗଛଲତା ଉଠି ଛୋଟ ଛୋଟ ଜଙ୍ଗଲରେ ପରିଣତ ହୋଇଛି । ପରିସରରେ ଲୋକମାନେ ମଳତ୍ୟାଗ କରୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଅସାମାଜିକ ଲୋକଙ୍କର ଏହା ଆଡ୍ଡାସ୍ଥଳୀ ପାଲଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଖାଲି ସେତିକି ନୁହେଁ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଲୋକମାନେ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତୁ ପକାଉଥିବାରୁ ଏହି ସ୍ଥାନଟି ଏକ ଡ଼ମ୍ପୟାର୍ଡ ହୋଇଥିବା ଭଳି ନଜରକୁ ଆସୁଛି । ଗାଈଗୋରୁ, ବୁଲାକୁକୁର ଅବାଧ ବିଚରଣ କରୁଛନ୍ତି । ଏନେଇ ସ୍ଥାନୀୟ ଟାଙ୍ଗିବନ୍ତର କିଛି ସଚେତନ ଯୁବକ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସ୍ଥାନୀୟ କଲ୍ୟାଣପୁର ପଂଚାୟତ ସରପଂଚଙ୍କ ପ୍ରତିନିଧି ବସନ୍ତ ସାମଲ କହିଛନ୍ତି ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ବହୁଦିନ ଆଗରୁ ଅବଗତ କରାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରତିବାର ବ୍ୟବସ୍ଥା ହୋଇପାରିନି ବୋଲି ଦୁଃଖ ପ୍ରକାଶ କରିଛନ୍ତି । ସେହିଭଳି ଜଣେ ସ୍ଥାନୀୟ ନାଗରିକ କହିଛନ୍ତି ଯେ ସ୍ୱାସ୍ଥ୍ୟକେନ୍ଦ୍ରଟି ଆରମ୍ଭ ହେବାଦିନରୁ ଏଠାରେ ଏକ ୧୦୦ଶଯ୍ୟା ବିଶିଷ୍ଟ ସୁବିଧା ଉପଲବ୍ଧ ହେବା ନେଇ ଶୁଣିଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଏଠାରେ ୨୪ଘଂଟିିଆ ସ୍ୱାସ୍ଥ୍ୟସେବା ପାଇବାରୁ ଲୋକେ ବଂଚିତ ହେଉଛନ୍ତି । ଏଠାରେ ଏକ ଆମ୍ବୁଲାନ୍ସର ଆବଶ୍ୟକତା ରହିଥିଲାବେଳେ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନି । ଏନେଇ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇପାରିନାହିଁ । ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ବିଧାୟକ ଶ୍ରୀ ରାଉତ ଏ ଦିଗରେ ଦୃଷ୍ଟିଦେବେ ବୋଲି ଅଂଚଳବାସୀ ଆସ୍ଥା ପ୍ରକଟ କରିଛନ୍ତି । ତୁରନ୍ତ ବିହୀତ ପଦକ୍ଷେପ ନିଆଗଲେ ପାଂଚଟି ପଂଚାୟତର ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇବା ସହିତ ତୁରନ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ – ୮୬ ଜଣ ଶିଶୁ ଆକ୍ରାନ୍ତ – ୩ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ନାୟକ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଚିହ୍ନଟ …

Leave a Reply

Your email address will not be published. Required fields are marked *