ନିରାକାରପୁର, ୧୭/୧୨/୨୦୨୦(ଓଡ଼ିଶା ସମାଚାର)- ନବଧା ଭକ୍ତି ଅନ୍ତର୍ଗତ ସହଜ ସରଳ ମୁକ୍ତିର ଆଧାର ହିଁ ସଂକୀର୍ତନ । ଶହ ଶହ ବର୍ଷ ଧରି ସଂକୀର୍ତନ ଜୀବନର ଅଂଶ ବିଶେଷ ହୋଇ ଆସିଛି ଓ ସାମାଜିକ ସଦ୍ ଭାବନା ର ଅବଲମ୍ବନ ପାଲଟିଛି ବୋଲି ବିଶିଷ୍ଟ ବକ୍ତା ଓ ଅତିଥି ମତବ୍ୟକ୍ତ କରିଛନ୍ତି । ଟାଙ୍ଗି ବ୍ଲକ ଡିଆ ପଂଚାୟତର କାଶୀପୁର ଶ୍ରୀ ରଘୁନାଥ ସଂକୀର୍ତନ ମଣ୍ଡଳୀର ବାର୍ଷିକ ଉତ୍ସବ ଗତ କାଲି ଶ୍ରୀ ହଟ୍ଟ ଗ୍ରାମେଶ୍ୱରଙ୍କ ପୀଠରେ ମହାଆଡମ୍ବରରେ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ରମାନାଥ ଦାଶ ସଭାପତିତ୍ୱ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ପ୍ରାକ୍ତନ ଜିଲ୍ଲାପାଳ ଦେବରାଜ ସେନାପତି ମୁଖ୍ୟ ଅତିଥି ଭାବେ, ରାଜ୍ୟ ବିଜୁ ଜନତା ଦଳର କଳା ଓ ସଂସ୍କୃତି ବିଭାଗ ସଂଯୋଜକ ପ୍ରବୀର କୁମାର ମହାନ୍ତି ମୁଖ୍ୟ ବକ୍ତା, ନିରାକାରପୁର କଲେଜର ଅଧ୍ୟାପକ ଡ ମୃତୁ୍ୟଞ୍ଜୟ ରଥ ସମ୍ମାନୀତ ଅତିଥି, ନିରାକାରପୁର ସରପଂଚ ହୃଷିକେଶ ରାଉତରାୟ, ଡିଆ ସରପଂଚ ମମତା ବେହେରା, ଶ୍ରୀରାମଦୟା ପରିଷଦର ସମ୍ପାଦକ ଗଙ୍ଗାଧର ତ୍ରିପାଠୀ, ଶିକ୍ଷାବିତ୍ ବିରଂଚି ନାରାୟଣ ତ୍ରିପାଠୀ, ମଣ୍ଡଳୀର ପରିଚାଳକ ଜଗବନ୍ଧୁ ବେହେରା ,ଶିକ୍ଷକ ଈଶ୍ୱର ଚନ୍ଦ୍ର ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆମ ସମାଜରେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ସର୍ବଦା ନାମ ସଂକୀର୍ତନର ଆବଶ୍ୟକତା ଥିବାବେଳେ ଏହା ଧିରେ ଧିରେ ସମାଜରେ ଲୋପ ପାଇବାକୁ ଲାଗିଲାଣି । ଜଙ୍ଗଲରେ ହାତୀ, ବାଘ, ଜଳରେ ଥିବା କୁମ୍ଭୀର, କଇଁଚ ଗଣନା କରାଯାଉଥିବା ସରକାରଙ୍କ ପାଖରେ ହିସାବ ରହିଛି । କିନ୍ତୁ ଓଡିଶାରେ ସଂର୍କର୍ତନ ଦଳ ସଂଖ୍ୟା କେତେ ଏବଂ କେତେ କଳାକାର ଅଛନ୍ତି ତାହାର ସରକାରଙ୍କ ପାଖରେ ହିସାବ ନାହିଁ । ଓଡିଶାର କଳାକାରମାନଙ୍କୁ ଗଣନା କରାଯାଇ ସେମାନଙ୍କର ଭବିଷ୍ୟତ ଓ ସୁଯୋଗ ସୃଷ୍ଟି କରିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଲ୍ଲାଦିନ ସାଥୁଆ ସଂକୀର୍ତନ ମଣ୍ଡଳୀର ସଂପାଦିକା ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ରୀକାନ୍ତ ସାଥୁଆଙ୍କ ସଂଯୋଜନାରେ ନୃତ୍ୟ ପରିବେଷଣ କରାଯାଇଥିଲା ।
ଗ୍ରାମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ମହିଳାମାନଙ୍କୁ ନେଇ ମୁ୍ୟଜିକ୍ ଚେୟାର, ରେଙ୍ଗାଲି ଓ ଶଙ୍ଖପୁଙ୍ଖା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା କୃତୀ ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର କରାଯାଇଥିଲା । ଶିକ୍ଷାବିତ୍ କମଳଲୋଚନ ପ୍ରଧାନ ମଂଚ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର