କଟକ,୧୭/୧୨/୨୦୨୦(ଓଡ଼ିଶା ସମାଚାର)- ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତୁ୍ୟରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନାହିଁ । ଏବେ ବି ସସପେନ୍ସ ଜାରିରହିଛ । ତଦନ୍ତ ଜାରିରହିଥିବା ବେଳେ ବୁଧବାର ତାଙ୍କ ପତ୍ନୀ ବିଦ୍ୟାଶ୍ରୀ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗରସ୍ଥିତ ବାପଘର ବାସଭବନରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆଦିତ୍ୟଙ୍କ ମୃତୁ୍ୟରହସ୍ୟ ଉନ୍ମୋଚିତ ନ ହେବା ଓ କେତେକ ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଚରିତ୍ରସଂହାର କରିବା ହେତୁ ତାଙ୍କର ଆଉ ବଂଚିବାକୁ ଇଚ୍ଛାନାହିଁ । ଫେସବୁକ୍ ଆକାଉଂଟରେ ଲାଇଭ୍ ଭିଡିଓ ମାଧ୍ୟମରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଦ୍ୟାଶ୍ରୀ । ୪୦ରୁ ଅଧିକ ନିଦ ବଟିକା ଖାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଲାଇଭ ଭିଡିଓ ପ୍ରସ୍ତୁତର କାରଣ ଦର୍ଶାଇ ସେ କହିଥିଲେ ଯେ କେହି ଯେପରି ତାଙ୍କ ମୃତୁ୍ୟପାଇଁ ତାଙ୍କ ପରିବାରକୁ ଦାୟୀ ନ କରନ୍ତୁ । ଆଦିତ୍ୟ ମୃତୁ୍ୟପାଇଁ ଯେପରି ତାଙ୍କୁ ଦାୟୀ କରାଯାଉଛି, ସେହିପରି କେହି ନ କୁହନ୍ତୁ କି ବିଦ୍ୟାଶ୍ରୀଙ୍କୁ ତାଙ୍କ ପରିବାର ଲୋକ ମାରିଦେଇଛନ୍ତି । ତାଙ୍କ ମୃତୁ୍ୟପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ ସେ ଏକ ଡାଏରୀରେ ଲିପିବଦ୍ଧ କରିଛନ୍ତି । ଲାଇଭ ଭିଡିଓରେ ସେ ନେଇଥିବା ନାମ ଗୁଡିକ ମଧ୍ୟରେ ଶୁଭାଶିଷ ଷଡ଼ଙ୍ଗୀ, ବିଶ୍ୱଜିତ, ମନୋଜ ସିଂହ,ରାକେଶ ଜେନା, ଏସ କେ ମହାରଣା, ସୁଦୀପ୍ତ ଦାସ, ଶିବ ସାହୁ, ପ୍ରୀତମ ମିଶ୍ର, ବିକାଶ ବରାଳ, ପୁଷ୍ପଲତା ମହାନ୍ତି, ଶିଳ୍ପିଶ୍ରୀ ପଣ୍ଡା, କବିତା ଦାସ ରହିଛି । ଏମାନେ ବିଦ୍ୟାଶ୍ରୀଙ୍କୁ ଅପରାଧୀ ସଜାଇବା ପାଇଁ ତାଙ୍କ ଚରିତ୍ର ସଂହାର କରି ବାରମ୍ବାର ମନ୍ତବ୍ୟ ଦେଉଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିବା ସେ ଅଭିଯୋଗ କରିଛନ୍ତି । ଆତ୍ମମହତ୍ୟା ଉଦ୍ୟମ ବେଳେ ସେ ବାରମ୍ବାର ନ୍ୟାୟ ଦାବି କରିବା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଚିତ୍କାର କରୁଥିବାର ଭିଡିଓ ଭାଇରାଲ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି । ବିଦ୍ୟାଶ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଟୋ୍ରମା କେୟାର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏସସିବି ମେଡିକାଲ ସୂତ୍ରରୁ ଜଣାପଡିଛି । ତେବେ ଏ ନେଇ ମଧୁପାଟଣା ଥାନାରେ କୌଣସି ମାମଲା ହୋଇନଥିବା ଥାନାଧିକାରୀ ତୁଷାରକାନ୍ତ ସେଠୀ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର