ଏହି ସ୍କିମ୍ ଚାଲୁ ରଖିବାକୁ ଆମ୍ବେଦକର ଲୋହିଆ ବିଚାର ମଂଚ ଏବଂ ଏନସିଡ଼ିଏଚଆର ସଂଗଠନର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି
ଭୁବନେଶ୍ୱର, ୧୬/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ୨୦୧୭ ମସିହା ପରଠାରୁ ପୋଷ୍ଟ ମାଟି୍ରକ ସ୍କଲାରସିପ୍ ନିମନ୍ତେ କେନ୍ଦ୍ର ସରକାର ୧୦ ପ୍ରତିଶତ ଓ ରାଜ୍ୟ ସରକାର ୯୦ ପ୍ରତିଶତ ବହନ କରୁଛନ୍ତି । ଏହା ଫଳରେ ରାଜ୍ୟ ସରକାଣଙ୍କ ଉପରେ ଅଧିକ ଚାପ ପଡୁଅଛି । ବିହାର, ପଞ୍ଜାବ, ମହାରାଷ୍ଟ୍ର ସମେତ ୧୪ଟି ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଏହି ସ୍କିମ୍ ନିମନ୍ତେ ପ୍ରାୟତଃ ବନ୍ଦ ହୋଇଯାଇଛି । ଏଣୁ ଏହି ବର୍ଗର ୬୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ଆଜି ରାଜ୍ୟର ଅନ୍ୟତମ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାର ମଂଚ ଓ ନୂଆଦିଲ୍ଲୀର ନ୍ୟାସନାଲ କାମ୍ପେନ ଅନ୍ ହୁ୍ୟମାନ ରାଇଟସ୍ ସଂଗଠନ ତରଫରୁ ପୂର୍ବରୁ ପ୍ରଚଳିତ ୬୦:୪୦ ହାରରେ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରି ଏହି ସ୍କିମ୍ ଚଳାଇ ରଖିବାକୁ ଦାବି କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ୨୦୧୭-୧୮ ପର୍ଯ୍ୟନ୍ତ ପ୍ରଚଳିତ ୬୦:୪୦ ହାରର ଅନୁଦାନକୁ ରଦ୍ଧ କରାଯାଇ ୧୦:୯୦ ହାରରେ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତି କରାଯାଇଥିଲା । ଏହା ଫଳରେ ରାଜ୍ୟଗୁଡ଼ିକ ଉପରେ ଅତ୍ୟଧିକ ଚାପ ପଡ଼ିଛି । ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର, ବିହାର ଆଦି ରାଜ୍ୟ ସମେତ ୧୪ଟି ରାଜ୍ୟ ଏଥିନିମନ୍ତେ ସେମାନଙ୍କର ଅକ୍ଷମତା ପ୍ରକାଶ କରିଛନ୍ତି ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ନିକଟରେ ଏହାକୁ ପରିବର୍ତନ କରିବା ନିମନ୍ତେ ଦାବି କରି ଆସୁଛନ୍ତି ।
ଦୁଇ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଅଛି ଯେ, ମାଟ୍ରିକ ପରବର୍ତୀ ଶିକ୍ଷା ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥିବାରୁ ଏସସି, ଏସଟି ବର୍ଗର ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରଧାନମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ପୂର୍ବ ପ୍ରଚଳିତ ୬୦:୪୦ ପ୍ରତିଶତର ଆର୍ଥିକ ଭାର ବହନ ବ୍ୟବସ୍ଥା ପ୍ରଚଳନ କରିବାକୁ ଦାବି କରିଛନ୍ତି । ଏଥିସହିତ କେନ୍ଦ୍ରୀୟ ଅନୁଦାନର ମାତ୍ରା ବାର୍ଷିକ ଦଶ ହଜାର କୋଟିକୁ ବୃଦ୍ଧି କରିବା, ଏହି ବର୍ଗର ବାର୍ଷିକ ପାରିବାରିକ ଆୟର ସୀମା ୨.୫ ଲକ୍ଷରୁ ୮ ଲକ୍ଷକୁ ବୃଦ୍ଧି କରିବା ଆଦି ସାତଦଫା ଦାବି କରାଯାଇଅଛି ।
ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ପକ୍ଷରୁ ସଂଗ୍ରାମ ମଲ୍ଲିକ, ତପନ ସାମଲ. ଅରବିନ୍ଦ ମଲ୍ଲିକ, ତପନ ନାୟକ, ବିରô ନାୟକ, ସୁକାନ୍ତ ତିଆଡ଼ି, ମହେନ୍ଦ୍ର ସେଠୀ, ସଞ୍ଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଏହି ଦାବି ସମୂହ ଉପସ୍ଥାପନ କରିଥିଲେ । ଓଡ଼ିଶା ସମାଚାର